ସହିଦ ବାପାଙ୍କୁ ଦେଖିବା ପରେ କୁନି ସମୃଦ୍ଧିର କଥା ଶୁଣି ଉପସ୍ଥିତ ସମସ୍ତେ କାନ୍ଦି ପକାଇଲେ

ଡେରାଡୁନ: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଅପରେସନ୍‌ ରୋକିବା ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ରମଜାନର୍‌ ପବିତ୍ର ମାସ ପାଇଁ ନିଆଯାଇଥିଲା। ମାତ୍ର ସରକାରଙ୍କର ଏହି ନିଷ୍ପତ୍ତି ଏବେ ସାଧାରଣ ଜନତା ଓ ସୁରକ୍ଷା ବଳ ଉପରେ ଭାରି ପଡ଼ିଛି। ନିକଟରେ ପାକିସ୍ତାନୀମାନଙ୍କ ଗୁଳିରେ ଅଖନୁରରେ ଜଣେ ୮ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ସେହିପରି ଡେରାଡୁନ୍‌ର ଅଧିବାସୀ କମାଣ୍ଡାଣ୍ଟ୍‌ ଦୀପକ ନୈନବାଲ ବି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଦୀର୍ଘ ୪୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ସହିଦ ହୋଇଛନ୍ତି। ସେହି ବୀର ସହିଦଙ୍କ ମତ ଶରୀରକୁ ଯେତେବେଳେ ଡେରାଡୁନ ଅଣାଗଲା ସେଠାରେ ଥିବା ତାଙ୍କ ଝିଅର କରୁଣ କାନ୍ଦ ବେଳର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ସହିଦ କମାଣ୍ଡାଣ୍ଟ୍‌ ଦୀପକ ନୈନବାଲଙ୍କ ୫ ବର୍ଷର ଝିଅ ସମୃଦ୍ଧି ଏକଥା ବୁଝିପାରି ନାହିଁ ଯେ ତା’ ବାପା ଦେଶ ପାଇଁ ନିଜର ପ୍ରାଣ ବଳୀ ଦେଇଛନ୍ତି। ସେ କଥା ବି ଜାଣେନି ଯେ ଦେଶ ପାଇଁ ସହିଦ ହେବାର ଅର୍ଥ କ’ଣ। ସମୃଦ୍ଧିକୁ ଖାଲି ଏତିକି କୁହାଯାଇଛି ଯେ ତା’ବାପା ଅମର ହୋଇଗଲେ। ସେ ଆଉ ତା’ ବାପାଙ୍କ କୋଳରେ ବସିପାରିବ ନାହିଁ। ସହିଦ ଦୀପକ ନୈନବାଲ ଗୋଟାଏ ଝିଅ ଓ ଗୋଟାଏ ପୁଅ। ତାଙ୍କ ପତ୍ନୀଙ୍କ ଅବସ୍ଥା ବି କାନ୍ଦି କାନ୍ଦି ବେହାଲ୍‌ ହୋଇଥିବା ସୂଚନା ରହିଛି।

ସହିଦଙ୍କ ମର ଶରୀର ବୁହା ହୋଇ ଅଣାଯିବା ବେଳେ ଜୟ ଜୟ ଧ୍ୱନିରେ ଅଞ୍ଚଳ କମ୍ପି ଉଠଉଥିଲା। ଘର ସାମ୍ନାରେ ଜମିଥିଲା ନାମୀଦାମୀ ଲୋକଙ୍କ ଭିଡ଼। ଶରୀରକୁ ତଳେ ରଖାଯିବା ପରେ ଧାଇଁ ଆସିଥିଲା କୁନି ଝିଅ ସମୃଦ୍ଧି। କିଛି ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ନୈନବାଲ ନଉଠିବାରୁ ଶେଷରେ କୁନି ସମୃଦ୍ଧି କହିଥିଲା,‘ମୋ ବାପା ତାରା ହୋଇଗଲେ’। ସମୃଦ୍ଧି ମୁହଁରୁ ଏହି କଥା ଶୁଣିବା ପରେ ଉପସ୍ଥିତ କାହାରି ଆଖିରେ ଲୁହ ରହିନଥିଲା।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍‌ ୧୦ ତାରିଖରେ ଆତଙ୍କବାଦ ଆକ୍ରମଣ ସମୟରେ କମାଣ୍ଡାଣ୍ଟ୍‌ ଦୀପକ ନୈନବାଲଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପୁଣେ ସୈନିକ ହସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା କରାଯାଉଥିଲା। ପୂରା ୪୦ ଦିନ ସଂଘର୍ଷ କରିବା ପରେ ତାଙ୍କୁ ବୀରଗତି ପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର