‘ହାର୍‌ ନେହିଁ ମାନୁଙ୍ଗା…’ କହୁଥିବା ଭାରତୀୟ ରାଜନୀତିର ଏହି ଅଜାତଶତ୍ରୁ କାଳ ନିକଟରେ ହାରିଗଲେ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ; ଭାରତୀୟ ରାଜନୀତିର ଅଜାତଶତ୍ରୁ। ସେ ଥିଲେ ଏପରି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କୁ ରାଜନୈତିକ ବିରୋଧୀମାନେ ମଧ୍ୟ ପସନ୍ଦ କରିବା ସହିତ ପ୍ରଶଂସା କରୁଥିଲେ। ଏହା ସାଂପ୍ରତିକ ଭାରତ ଇତିହାସରେ ବାଜପେୟୀଙ୍କୁ ଜଣେ ବିରଳ ରାଜନେତାର ସ୍ଥାନ ଦେଇଛିି। ନିଜର ଦୀର୍ଘ ରାଜନୈତିକ ଜୀବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିଭିନ୍ନ ରାଜନୈିତକ ଦଳର ନେତାଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, ମାତ୍ର କାହା ସହିତ ବ୍ୟକ୍ତିଗତ ବିଦ୍ୱେଷ ନ ଥିଲା। ସେହି ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ଣ ୦୫.୦୫ରେ ଶ୍ରୀ ବାଜପେୟୀ ଏମ୍ସରେ ଚିକିତ୍ସିତ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି।


ଶ୍ରୀ ବାଜପେୟୀଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। କବି, ଦାର୍ଶନିକ, ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ପରି ଜଣେ ପ୍ରିୟପୁତ୍ରକୁ ହରାଇ ଆଜି ଭାରତର ଜନସାଧାରଣ ଶୋକାଭିଭୂତ ହୋଇ ପଡ଼ିଛନ୍ତି। ‘ହାର ନେହିଁ ମାନୁଙ୍ଗା…’ କବିତା ଗାଉଥିବା ଅଟଳବିହାରୀ ବାଜପେୟୀ କାଳ ନିକଟରେ ହାରିଯିବା ସହିତ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

ଗତ ଜୁନ ୧୧ ତାରିଖରେ ଅସୁସ୍ଥତା ହେତୁ ବାଜପେୟୀ ଏମ୍‌ସ୍‌ରେ ଭର୍ତ୍ତି ହେବା ସହିତ ଗତ ୯ ସପ୍ତାହ ହେବ ସେଠାରେ ଚିକିତ୍ସାଧୀନ ଥିଲେ। ଗତ ୩୬ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖା ଯାଇଥିଲା। ମଧୁମେହରେ ଆକ୍ରାନ୍ତ ବାଜପେୟୀଙ୍କର ୨୦୦୯ରେ ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଗୋଟିଏ କିଡ୍‌ନି ନଷ୍ଟ ହୋଇଯାଇଥିଲା। ପରେ ସେ ଡିମେନ୍‌ସିଆରେ ଆକ୍ରାନ୍ତ ହୋଇଥିଲେ ଓ ସେହି ଦିନରୁ ହ୍ଵିଲ ଚେୟାରରେ ବସିବାକୁ ବାଧ୍ୟ ହୋଇଥିଲେ।


ଗୁରୁବାର ସକାଳୁ ଏମ୍‌ସ୍‌ ଯାଇ ଅନେକ ନେତା ଓ ମନ୍ତ୍ରୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଉପରାଷ୍ଟପତି ଭେଙ୍କୟା ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜପି ନେତା ତଥା ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଲାଲକୃଷ୍ଣ ଆଡଭାନୀ, ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରମୁଖ ଏମ୍ସରେ ପହଞ୍ଚିବା ସହିତ ଏମ୍‌ସରେ ଗତିବିଧି ବଢ଼ିଯାଇଥିଲା।

khabar.ndtv.com

୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ମଧ୍ୟପ୍ରଦେଶର ଗ୍ଵାଲିୟରଠାରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ବିହାରୀ ବାଜପେୟୀ ଓ ମାତା ଥିଲେ କୃଷ୍ଣା ଦେବୀ। ପିତା ଥିଲେ ଜଣେ କବି ଓ ସ୍କୁଲ୍‌ ଶିକ୍ଷକ। ଅଟଳ ବିହାରୀ ବାଜପେୟୀ ଗ୍ଵାଲିଅର୍‌ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଲେ। ତା’ପରେ କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ୍‌ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ୨୩ ଦିନ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବା ସହିତ ବାଜପେୟୀ ତାଙ୍କ ରାଜନୈତିକ ଜୀବନ ଆଗକୁ ବଢ଼ାଇଥିଲେ।

ବାଜପେୟୀ ପ୍ରଥମ ଥର ପାଇଁ ୧୯୫୭ ମସହାରେ ବଳରାମପୁର ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୭ ମସିହାରେ ପୁର୍ନବାର ବଳରାମପୁର ଲୋକସଭା ଆସନରୁ ଜନସଂଘ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗ୍ଵାଲିୟରରୁ ୧୯୭୧ରେ ପୁଣି ଜନସଂଘ ଟିକେଟରେ ଲୋକସଭାକୁ ନିର୍ବାଚିତ ହେବା ପରେ ନୂଆଦିଲ୍ଲୀରୁ ଜନତା ପାର୍ଟି ଟିକେଟରେ ୧୯୭୭ ଓ ଭାରତୀୟ ଜନତା ପାର୍ଟି ଟିକେଟରେ ୧୯୮୦ ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ୧୯୯୧, ୧୯୯୬, ୧୯୯୮ ଓ ୨୦୦୪ ମସିହାରେ ଲୋକସଭାକୁ ନିର୍ବାଚିତ ହେବା ସହିତ ଦେଶରେ ଗଠିିତ ପ୍ରଥମ ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ଭାବେ ସରକାରଙ୍କ ନେତୃତ୍ୱ ନେଇ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଶ୍ରୀ ବାଜପେୟୀ ହେଉଛନ୍ତି ବର୍ତ୍ତମାନ ସୁଦ୍ଧା ଏକମାତ୍ର ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ, ଯିଏ ନିଜର ପୂର୍ଣ୍ଣକାଳ ପ୍ରଧାନମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସମ୍ପୂର୍ଣ୍ଣ କରିଛନ୍ତି। ୨୦୧୪ ମସିହାରେ ଶ୍ରୀଯୁକ୍ତ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ଉପାଧୀ ‘ଭାରତ ରତ୍ନ’ରେ ବିଭୂଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର