ନୂଆଦିଲ୍ଲୀ : ମହାନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅଟଳଜୀଙ୍କ ପରଲୋକ ସହିତ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ସମ୍ପର୍କରେ ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କହିଛନ୍ତି ଯେ “ସେ ନିଜ ଜୀବନ ପ୍ରତିଟି କ୍ଷଣ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ, ଅନେକ ବର୍ଷ ଧରି ରାଷ୍ଟ୍ରର ସେବା କରିଚାଲିଥିଲେ । ତାଙ୍କ ପରଲୋକ ଏକ ଯୁଗର ଅନ୍ତ । ସେ ଆଦି ଆମ ଗହଣରେ ନାହାନ୍ତି ସତ, ସେ ପ୍ରତି ଭାରତବାସୀଙ୍କ ସହ ସବୁବେଳେ ରହିବେ , ପ୍ରେରଣା ଦେଇଚାଲିବେ ।”
୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜନ୍ମଗ୍ରହଣ କରିଥିବା ଅଟଳଜୀ କିଶୋର ବୟସରୁ ହିଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଜଣେ ପ୍ରଚାରକଭାବେ ଯୋଗ ଦେଇଥିଲେ । ଯୁବାବସ୍ଥାରେ ସେ ସଂଘ ନେତା ଦୀନଦୟାଲ ଉପାଧ୍ୟାୟଙ୍କ ସମ୍ବାଦପତ୍ର ରାଷ୍ଟ୍ରଧର୍ମ ଓ ପରେ ସଂଘ ମୁଖପତ୍ର ପଂଚଜନ୍ୟରେ ଯୋଗ ଦେଲେ । ସ୍ୱାଧୀନତାପରେ ସେ ଆରଏସ୍ଏସ୍ର ରାଜେନୈତିକ ସଂଗଠନ ଭାରତୀୟ ଜନସଂଘରେ ଯୋଗ ଦେଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ବଳରାମପୁରରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଲାଗୁ ଜରୁରୀପରିସ୍ଥିତିବେଳେ ଗିରଫ ହୋଇଥିଲେ । ୧୯୭୭ରେ ସେ ଜନତାଦଳ ସରକାରରେ ବିଦେଶମନ୍ତ୍ରୀ ନିଯୁକ୍ତ ହେଲେ । ଏହି ସମୟରେ ହିଁ ସେ ଜାତିସଂଘ ସାଧାରଣ ପରିଷଦରେ ପ୍ରଥମ ଥର ପାଇଁ ହିନ୍ଦୀର ଭାଷଣ ଦେଇ ବେଶ ଚର୍ଚ୍ଚିତ ହୋଇପାରିଥିଲେ । ତେବେ ୯୦ ଦଶକରେ ସେ ନିଜ ରାଜନୈତିକ ଜୀବନର ଶୀର୍ଷରେ ପହଞ୍ଚିପାରିଥିଲେ । ୧୯୯୬ରୁ ୨୦୦୪ ମଧ୍ୟରେ ସେ ଲଗାତାର ୩ ଥର ପାଇଁ ପ୍ରଥାନମନ୍ତ୍ରୀ ହୋଇପାରିଥିଲେ । ପ୍ରଥମେ ୧୯୯୬ରେ ୧୩ ଦିନ ପାଇଁ, ୧୯୯୮ରେ ୧୩ ମାସ ପାଇଁ ଓ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରେ ସେ ପୋଖରାନଠାରେ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଚମକାଇଦେଇଥିଲେ ।