ନୂଆଦିଲ୍ଲୀ : ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବଂଶଧାରା ଜଳବିବାଦ ମାମଲାରେ ନେରେଡ଼ି ଓ କାଟ୍ରାଗଡ଼ରେ ନିର୍ମାଣଧୀନ ଦୁଇଟି ଯାକ ବ୍ୟାରେଜ୍ କାମ ଚାଲୁ ରହିବ ବୋଲି ପୂର୍ବରୁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ ରାୟରେ ସ୍ପଷ୍ଟ କରିଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଆନ୍ଧ୍ର ସରକାର ଏହି ରାୟକୁ ଉଲ୍ଲଂଘନ କରି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଠାରୁ ବୈଷୟିକ ମଂଜୁରି ନଆଣି ସାଇଡ୍ ଚ୍ୟାନେଲ୍ ୱେୟାର ନିର୍ମାଣ ଓ ଅପରେସନ୍ କାର୍ଯ୍ୟ ଆରମ୍ଭ କରିଥିବା ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଅଭିଯୋଗ କରାଯାଇଛି। ଓଡ଼ିଶା ପକ୍ଷରୁ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶ ଦ୍ବାରା ସୁପରଭାଇଜରି ଫ୍ଲଡ୍ ମ୍ୟାନେଜମେଣ୍ଟ୍ ଓ ରେଗୁଲେସନ୍ କମିଟି ଗଠନ ନ କରାଯାଇ ସାଇଡ୍ ଚ୍ୟାନେଲ୍ ୱେୟାର ନିର୍ମାଣ କରାଯାଉଛି। ସାଇଡ୍ ୱେୟାର ଜରିଆରେ ୨.୩ ଟିଏମ୍ସି ଜଳପ୍ରବାହକୁ ଡାଇଭର୍ଟ କରାଯାଉଛି ତଥା ହିରାମଣ୍ଡଳମ୍ ଜଳାଶୟରେ ସଂରକ୍ଷଣ କରି ରଖାଯାଉଛି। ଗତ ଡିସେମ୍ବର ଶେଷ ସପ୍ତାହରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ ବଂଶଧାରା ନଦୀ ଅବବାହିକା ପରିଦର୍ଶନ ଓ ଅନୁଧ୍ୟାନ କରିବା ସହ ଓଡ଼ିଶା ଦ୍ବାରା ଟ୍ରିବ୍ୟୁନାଲ୍ଙ୍କ ନିକଟରେ ସ୍ବତନ୍ତ୍ର ଉପସ୍ଥାପନ କରାଯିବା ସମୟରେ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଓଡ଼ିଶା ଦ୍ବାରା ହୋଇଥିବା ଉପସ୍ଥାପନାରେ ଆନ୍ଧ୍ରପ୍ରଦେଶ ଦ୍ବାରା ନେରେଡ଼ି ବ୍ୟାରେଜ୍ ପାଇଁ କୌଣସି ପ୍ରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସହ ୩.୫ କିମିର ପ୍ରୋଟେକ୍ସନ୍ ୱାଲ୍ର ପ୍ରସ୍ତାବ ମିଳିନଥିବା କୁହାଯାଇଥିଲା।
ନେରେଡ଼ି ବ୍ୟାରେଜ୍ ନିର୍ମାଣ ଯୋଗୁଁ ଫେରନ୍ତା ଜଳ ସମସ୍ୟାକୁ ତିନି କିମି ଭିତରେ ସୀମିତ ରଖିବାପାଇଁ ବ୍ୟବସ୍ଥା କରାଯାଉ ବୋଲି ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ୍ରେ କୁହାଯାଇଥିଲା। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ହୋଇଥିବା ବୁଝାମଣା ଭିତ୍ତିରେ ଆନ୍ଧ୍ରପ୍ରଦେଶ ନେରେଡ଼ି ବ୍ୟାରେଜ୍ର ଡିଜାଇନ୍ କରିନାହିଁ ବୋଲି ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ୍ଙ୍କୁ ଅବଗତ କରାଯାଇଥିଲା। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ ଦ୍ବାରା ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରାଯିବା ପରେ ପ୍ରସ୍ତୁତ କରାଯାଇଥିବା ୧୨୦ ପୃଷ୍ଠାର ରିପୋର୍ଟରେ ବଂଶଧାରା ପ୍ରକଳ୍ପ ଅନ୍ତର୍ଗତ ବ୍ୟାରେଜ୍ ଗୁଡ଼ିକ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ସମସ୍ତ ବିବରଣୀକୁ ଉଲ୍ଲେଖ କରାଯାଇଛି।