ସୁପ୍ରିମକୋର୍ଟରେ ସରକାରଙ୍କ ଏସ୍‌ଏଲ୍‌ପି ଦାଖଲ

ନୂଆଦିଲ୍ଳୀ : ବଂଶଧାରା ଜଳ ବିବାଦ ଟ୍ର୍ରିବ୍ୟୁନାଲ୍‌ର ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍‌ ପିଟିସନ (ଏସ୍‌ଏଲ୍‌ପି) ଦାଖଲ କରିଛନ୍ତି। ଗତ ସେପ୍ଟେମ୍ବର ୧୩ରେ ପ୍ରକାଶିତ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟରେ ଆନ୍ଧ୍ରପ୍ରଦେଶର ନେରେଡ଼ି ଏବଂ କାଟ୍ରାଗଡ଼ା ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ତେବେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରୁଥିବା ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟକୁ ଚ୍ୟାଲେଞ୍ଜ କରି ଏସ୍‌ଏଲ୍‌ପି ଦାଖଲ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ସରକାର ଆରମ୍ଭ କରିଥିବା ନେରେଡ଼ି ପ୍ରକଳ୍ପ ଦ୍ୱାରା ବଂଶଧାରା ଜଳ ପ୍ରବାହ କମ୍‌ ହେବା ସହ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଶୁଷ୍କ ହୋଇଯିବା ଆଶଙ୍କା ଉପୁଜିିଥିଲା। ସୁତରାଂ ଏହି ପ୍ରକଳ୍ପକୁ ଓଡ଼ିଶା ବିରୋଧ କରିଥିଲା। ଏହା ପରେ ଆନ୍ଧ୍ର ସରକାର ବଂଶଧାରା ନଦୀର ତଳମୁଣ୍ଡରେ କୋଟ୍ରାଗଡ଼ାଠାରେ ଆରମ୍ଭ କରିଥିବା ଆଉ ଏକ ପ୍ରକଳ୍ପକୁ ମଧ୍ୟ ଓଡ଼ିଶା ବିରୋଧ କରିଥିଲା। ତେଣୁ ୨୦୧୦ ମସିହାରେ ସୁପ୍ରିମକୋର୍ଟ ଅନ୍ତଃରାଜ୍ୟ ଜଳ ବିବାଦ ଆଇନର ଧାରା ୩ ଅନୁସାରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରି ମାମଲାର ଶୁଣାଣି କରିଥିଲେ। ତେବେ ୨୦୧୩ ଡିସେମ୍ବର ୧୩ରେ ଟ୍ରିବ୍ୟୁନାଲ ଦେଇଥିବା ଅନ୍ତରୀଣ ରାୟ ଓଡ଼ିଶା ସପକ୍ଷରେ ଯାଇନଥିଲା। ତେଣୁ ଅନ୍ତରୀଣ ଆଦେଶ ବିରୋଧରେ ୨୦୧୫ରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ସେପ୍ଟେମ୍ବର ୧୩ରେ ପ୍ରକାଶିତ ଚୂଡ଼ାନ୍ତ ରାୟରେ ଓଡ଼ିଶାକୁ ଝଟ୍‌କା ଲାଗିଥିଲା। ଟ୍ରିବ୍ୟୁନାଲଙ୍କ ରାୟକୁ ଆଇନଜୀବୀ ଓ ବିଶେଷଜ୍ଞ ଇଞ୍ଜିନିୟରମାନଙ୍କ ଦ୍ୱାରା ପୁ୍‌ଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବା ପରେ ବିଭିନ୍ନ ଭିତ୍ତିଗୁଡ଼ିକ ଉପରେ ଚ୍ୟାଲେଞ୍ଜ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର