ପୁଣି ଚାଲିଲା ବଂଶଧାରା ଶୁଣାଣି

ନିଯୁକ୍ତ ହେଲେ ନୂଆ ସଦସ୍ୟ, ପ୍ରକଳ୍ପ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ୍‌

ନୂଆଦିଲ୍ଲୀ : ଓଡ଼ିଶା ଓ ଆନ୍ଧ୍ରପ୍ର‌ଦେଶ ମଧ୍ୟରେ ଲାଗି ରହିଥିବା ବଂଶଧାରା ନଦୀ ଜଳବିବାଦର ସମାଧାନ ପାଇଁ ଗଠନ ହୋଇଥିବା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି। ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଟ୍ରିବ୍ୟୁନାଲ ସ୍ଥିତି ଅନୁଧ୍ୟାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ଟ୍ରିବ୍ୟୁନାଲ୍‌ରେ ଜଣେ ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

୨୦୧୭ ମସିହା ସେପ୍ଟେମ୍ବର ୧୩ ତାରିଖରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ ଦ୍ବାରା ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ଟ୍ରିବ୍ୟୁନାଲ୍‌ ଯେଉଁ ଚୂଡ଼ାନ୍ତ ରାୟ ପ୍ରଦାନ କରିଥି‌ଲେ, ସେଥିରେ ନଦୀଜଳ ବଣ୍ଟନ ବ୍ୟବସ୍ଥାରେ ଦୁଇ ରାଜ୍ୟଙ୍କୁ କେତେ ପରିମାଣର ଜଳ ଆବଣ୍ଟନ କରାଯିବ, ପ୍ରକଳ୍ପ ଗୁଡ଼ିକର ଟେକ୍‌ନୋ-ଇକୋନମିକ୍‌ ମଂଜୁରି, ସୁପରଭାଇଜରି କମିଟିର କ୍ଷମତା, ବୁଡ଼ି ଅଞ୍ଚଳର ଆକଳନ ଭଳି ୯ଟି ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ବାରା ଟ୍ରିବ୍ୟୁନାଲ୍‌ଠାରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲା। ଏଥିସହ ରାଜ୍ୟ ସରକାର ମଧ୍ୟ ଟ୍ରିବ୍ୟୁନାଲ୍‌ର ଚୂଡ଼ାନ୍ତ ରାୟ ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଅପରପକ୍ଷେ, ଆନ୍ଧ୍ର ମଧ୍ୟ ଉଭୟ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁ ସବୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲା ସେ ନେଇ ଟ୍ରିବ୍ୟୁନାଲ୍‌ରେ ଜବାବ ରଖିଥିଲେ। ଆଜି ସେହିସବୁ ସ୍ପଷ୍ଟୀକରଣ ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା।

ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷ ବିଚାରପତି ଡ.ମୁକୁନ୍ଦକମ ଶର୍ମା ଓ ଦୁଇଜଣ ସଦସ୍ୟ ବିଚ‌ାରପତି ବି ଏନ୍‌ ଚତୁର୍ବେଦୀ ଓ ବିଚାରପତି ପ୍ରତିଭା ରାଣୀ ଆଜି ଏହି ମାମଲାର ଶୁଣାଣି କରିଥିଲେ।

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୨୫ ଓ ୨୬ରେ ଟ୍ରିବ୍ୟୁନାଲ୍‌ କାଟ୍ରାଗଡ଼ା, ନେରେଡ଼ି, ଓ ଗୋଟା ବ୍ୟାରେଜ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିବେ। ନିର୍ମାଣାଧୀନ ବ୍ୟାରେଜ୍‌ ଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଏକତ୍ରିତ କରାଯିବ। ଏହ‌ାପରେ ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷ ଓ ପୂରା ଟିମ୍‌ ଆସନ୍ତା ୨୮ ଓ ୨୯ ତାରିଖରେ ଓଡ଼ିଶା ଗସ୍ତ କରିବେ। କାଠଯୋଡ଼ି‌ରେ ନିର୍ମିତ ନରାଜ୍‌ ବ୍ୟାରେଜ୍‌କୁ ଟିମ୍‌ ଅନୁଧ୍ୟାନ କରିବେ। ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରିବାପ‌ରେ ଟ୍ରିବ୍ୟୁନାଲ୍‌ ଦ୍ବାରା ରିପୋର୍ଟ ପ୍ରସ୍ତୁତ କରାଯିବ ଓ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ଦ୍ବିତୀୟ ସପ୍ତାହରେ ଧାର୍ଯ୍ୟ କରାଯିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ସଦସ୍ୟ ବିଚାରପତି ଗୁଲାମ୍‌ ମହମଦଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ସ୍ଥାନରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରତିଭା ରାଣୀଙ୍କୁ ଟ୍ରିବ୍ୟୁନାଲ୍‌ର ନୂଆ ସଦସ୍ୟ ରୂପେ ନିଯୁକ୍ତି କରାଯାଇଛି।

ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୋହନ ବି କାଟାର୍କୀ, ରାଧେଶ୍ୟାମ ଜେନା, ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସି ଏସ୍‌ ବୈଦନାଥନ, ୱାଇ ରାଜଗୋପାଳ ରାଓ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାସିମ କାଦ୍ରି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର