ବଂଶଧାରା ଜଳବିବାଦ : ଶେଷ ହେଲା ତିନି ଦିନର ଶୁଣାଣି

ନେରେଡ଼ି ପ୍ରକଳ୍ପ ଅଞ୍ଚଳର ୧୦୬ ଏକର ଜମି ହେବ ଯୁଗ୍ମ ସର୍ଭେ, ଜୁଲାଇ ୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦର ତିନି ଦିନିଆ ଶୁଣାଣି ଆଜି ଶେଷ ହୋଇଛି। ବଂଶଧାରା ନଦୀର ଜଳ ବ୍ୟବହାର ତଦାରଖ ତଥା ନେରେଡ଼ି ପ୍ରକଳ୍ପ ଏରିଆର ୧୦୬ ଏକର ଜମିର ଯୁଗ୍ମ ସର୍ଭେ ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୁପରିଟେ‌େଣ୍ଡଣ୍ଟ ଇଞ୍ଜିନିୟର ସ୍ତରୀୟ ଟିମ୍‌ ଦ୍ବାରା କେନ୍ଦ୍ର ଜଳ ଆୟୋଗଙ୍କ ଉପସ୍ଥିତିରେ ଯୁଗ୍ମ ସର୍ଭେ ହେବ। ସର୍ଭେ ରିପୋର୍ଟକୁ ଟ୍ରିବ୍ୟୁନାଲରେ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ କରିବାକୁ ପଡ଼ିବ। ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଟ୍ରିବ୍ୟୁନାଲ ଆଦେଶ ଜାରି କରିବେ। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ବିଚାରପତି ଡକ୍ଟର ମୁକୁନ୍ଦକମ ଶର୍ମା, ଅନ୍ୟ ଦୁଇ ସଦସ୍ୟ ବିଚାରପତି ବି. ଏନ. ଚତୁର୍ବେଦୀ ଓ ବିଚାରପତି ପ୍ରତିଭାରାଣୀଙ୍କ ଖଣ୍ଡପୀଠରେ ଆଜି ଆନ୍ଧ୍ରପ୍ରଦେଶ ପକ୍ଷରୁ ଶୁଣାଣି ଶେଷ ହେବା ପରେ ଓଡ଼ିଶା ଓ କେନ୍ଦ୍ର ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ଟ୍ରିବ୍ୟୁନାଲ ଦ୍ବାରା ନେରେଡ଼ି ପ୍ରକଳ୍ପ ଅଞ୍ଚଳର ୧୦୬ ଏକର କ୍ୟାଚମେଣ୍ଟ ଅଞ୍ଚଳର ଫିଜିକାଲ ଆକଳନ କରାଯିବା ସହିତ ଜଳମଗ୍ନ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯିବ। ଉଭୟ ପକ୍ଷରୁ ୧୦ରୁ ୧୨ ଜଣ ଟେକ୍ନିକାଲ ବିଶେଷଜ୍ଞ ଉପସ୍ଥିତ ରହିବେ। ସର୍ଭେ ଶେଷ ହେବା ପରେ ଏହାର ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରାଯିବ।

ଏଥିପୂର୍ବରୁ ଓଡ଼ିଶା ପକ୍ଷରୁ ବାସ୍ତବରେ ନେରେଡ଼ି ପ୍ରକଳ୍ପ ଅଞ୍ଚଳରେ ସର୍ଭେ ହୋଇଛି କି ନାହିଁ ସେନେଇ ଶୁଣାଣିରେ ପ୍ରଶ୍ନ କରାଯାଇଥିଲା। ଯଦି କୌଣସି ସର୍ଭେ ହୋଇଥିଲା ତାହାର ତଥ୍ୟ ପ୍ରଦାନ କରିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆନ୍ଧ୍ର ଯୁଗ୍ମ ସର୍ଭେ ସପକ୍ଷରେ ମତ ଦେଇଥିବା ବେଳେ ଓଡ଼ିଶା ଆପତ୍ତି ମଧ୍ୟ ଉଠାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଓଡ଼ିଶା ଏନେଇ ସହମତି ପ୍ରକାଶ କରିଥିଲା।

ଆଜିର ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ପକ୍ଷ ରଖିଥିବାବେଳେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସି.ଏସ. ବୈଦନାଥନ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ. ଡବ୍ଲ୍ୟୁ. କାଦ୍ରି ପକ୍ଷ ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ।

ସମ୍ବନ୍ଧିତ ଖବର