ନିର୍ବାଚନୀ ରାଲିରେ ରକ୍ତ ଲାଗିଥିବା କୁର୍ତ୍ତା ପିନ୍ଧି ପହଞ୍ଚିଲେ ବରୁଣ ଗାନ୍ଧୀ, ପରେ ସାମ୍ନାକୁ ଆସିଲା କାରଣ
ପିଲିଭିତ୍ : ଲୋକସଭା ନିର୍ବାଚନ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ସବୁ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଜୋରଦାର କରିବା ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ପିଲିଭିତ୍ରେ ଅପ୍ରେଲ ୨୫ରେ ମତଦାନ ହେବାକୁ ଥିବା ବେଳେ ପିଲିଭିତ୍ରୁ ବିପେଜି ପ୍ରାର୍ଥୀ ଥିବା ବରୁଣ ଗାନ୍ଧୀ ଏବେ ନିଜର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ସାଂସଦ ବରୁଣ ଗାନ୍ଧୀ ସୁନଗଢ଼ୀ ଅଞ୍ଚଳରେ ଆୟୋଜିତ କରାଯାଇଥିବା ଏକ ରାଲିରେ ରକ୍ତ ଲାଗିଥିବା କୁର୍ତ୍ତା ପିନ୍ଧି ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ କୁର୍ତ୍ତାରେ ରକ୍ତ କେମିତି ଲାଗିଲା, ସେ ନେଇ ସଭାରେ ଉପସ୍ଥିତ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସୁନଗଢ଼ୀରେ ଆୟୋଜିତ କରାଯାଇଥିବା ରାଲିର ପୂର୍ବ ଦିନ ଜଣେ କୃଷକ ନିଜ ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା । ଯେଉଁ ଆକ୍ରମଣରେ କୃଷକଙ୍କ ଦେହାନ୍ତ ହୋଇ ଯାଇଥିଲା । ପର ଦିନ ବରୁଣ ଗାନ୍ଧୀ ରାଲିରେ ଯୋଗ ଦେବାକୁ ଆସୁଥିବା ବେଳେ କୃଷକଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ଦେଖି ଗାଡ଼ିରୁ ଓହ୍ଲାଇ ଶବକୁ କାନ୍ଧ ଦେଇଥିଲେ । ଏହି ସମୟରେ କୃଷକଙ୍କ ଶରୀରରେ ଲାଗିଥିବା ରକ୍ତ ବରୁଣ ଗାନ୍ଧୀ ପିନ୍ଧିଥିବା କୁର୍ତ୍ତାରେ ଲାଗି ଯାଇଥିଲା । ରାଲିକୁ ଯିବା ପାଇଁ ବିଳମ୍ବ ହେଉଥିବାରୁ ସେ କୁର୍ତ୍ତା ନ ବଦଳାଇ ସିଧା ରାଲିକୁ ଚାଲି ଯାଇଥିଲେ ବୋଲି ଜଣା ପଡ଼ିଛି ।