ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟା:ମଡେଲରୁ ମହାରାଜ

ଇନ୍ଦୋର: ଇନ୍ଦୋରର ଆତ୍ମଘୋଷିତ ଧର୍ମଗୁରୁ ଭୟୁଜୀ ମହାରାଜ ଆଜି ତାଙ୍କ ଇନ୍ଦୋରସ୍ଥିତ ବାସଭବନରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଇନ୍ଦୋରସ୍ଥିତ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୟୁଜୀ ନିଜ ନିକଟରେ ରଖିଥିବା ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ହିଁ ନିଜକୁ ଗୁଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଏବଂ ପିସ୍ତଲ୍‌ ଉଦ୍ଧାର କରିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତାଙ୍କ ପରିବାର ଲୋକ ଓ ସହଯୋଗୀଙ୍କୁ ପଚରାଉଚରା ଜାରି ରଖିଛି। ତେବେ କେଉଁ କାରଣ ପାଇଁ ଜଣେ ଧର୍ମଗୁରୁ ଏଭଳି ଚରମ ପଦକ୍ଷେପ ନେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ରାଜନୀତି ସହ ସେ ପ୍ରତ୍ୟେକ୍ଷଭାବେ ଜଡିତ ଥିବାରୁ ତାଙ୍କ ଆତ୍ମହତ୍ୟା ପଛରେ କୌଣସି ପ୍ରାୟୋଜିତ ଉଦ୍ଦେଶ୍ୟ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବେଆଇନ ଖଣି ଖନନ ପଛରେ ଭୟୁଜୀଙ୍କ ହାତ ଥିଲା ଓ ତାଙ୍କ ଫେସବୁକ ପୋଷ୍ଟରୁ ସେ ବିଷାଦଗ୍ରସ୍ତ ନଥିବା ସ୍ପଷ୍ଟ ହୋଇଯାଉଛି ବୋଲି ରାଜ୍ୟ ବିରୋଧୀ ଦଳ ନେତା ଅଜୟ ସିଂହ କହିଛନ୍ତି। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ସାଙ୍ଗକୁ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ତେବେ ଘରୋଇ କଳହ କାରଣରୁ ଭୟୁଜୀ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। କୌଣସି କାରଣରୁ ଦୀର୍ଘ ଦିନ ହେବ ସେ ବିଷାଦଗସ୍ତ ରହୁଥିଲେ। ଆଜି ଭୟୁଜୀଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ତାଙ୍କ ଭକ୍ତ ଓ ସମର୍ଥକମାନେ ସ୍ତବ୍ଧ ହୋଇଯାଇଥିଲେ। ବମ୍ବେ ହସ୍ପିଟାଲ ପରିସରରେ ଭକ୍ତଙ୍କ ଭିଡ଼ ଜମିଥିଲା। ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ହସ୍ପିଟାଲ ବାହାରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି।
ମିଳିଥିବା ଖବର ମୁତାବକ, ଭୟୁଜୀଙ୍କ ପ୍ରଥମ ପତ୍ନୀ ମାଧବୀଙ୍କର ୨୦୧୫ ନଭେମ୍ବରରେ ମୃତ୍ୟୁ ହୋଇଯିବାପରେ ସେ ଶିବପୁରୀର ଜଣେ ଡାକ୍ତର ଆୟୁଷୀ ଶର୍ମାଙ୍କୁ ୨୦୧୭ ଏପ୍ରିଲ ୩୦ ତାରିଖରେ ଦ୍ୱିତୀୟ ବିବାହ କରିଥିଲେ। ତେବେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରଠାରୁ ଭୟୁଜୀ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ମଧ୍ୟରେ ମନାନ୍ତର ଲାଗି ରହିଥିଲା। ଭୟୁଜୀଙ୍କ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ମା’ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉ ନଥିବାରୁ ଅନେକ ସମୟରେ ଭୟୁଜୀ, ତାଙ୍କ ଝିଅ ଓ ଦ୍ୱିତୀୟ ପତ୍ନୀ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ଚର୍ଚ୍ଚା ହେଉଛି।
ବିଗତ ଦେଢ ବର୍ଷ ହେବ ସେ ବିଭିନ୍ନ ସ୍ଥାନରେ ସଭା ସମିତି କରିବାରୁ ନିଜକୁ ନିବୃତ୍ତ କରି କୃଷକଙ୍କ ଉନ୍ନତି, ଜଙ୍ଗଲ ସୁରକ୍ଷା, ନଦୀ ସୁରକ୍ଷା ଅଭିଯାନ ଓ ମହାରାଷ୍ଟ୍ରର କେତେକ ସାମାଜିକ ପ୍ରକଳ୍ପ ଗୁଡ଼ିକରେ ବ୍ୟସ୍ତ ରହୁଥିଲେ। ମଧ୍ୟପ୍ରଦେଶର ନର୍ମଦା ନଦୀ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ସରକାର ନିକଟରେ ଗଠନ କରିଥିବା କମିଟିରେ ଭୟୁଜୀ ମହାରାଜଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୬ ମେ’ ୧୮ ତାରିଖରେ ପୁନେର ରଞ୍ଜନଗାଓଁ ରୋଡରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଇନ୍ଦୋରରୁ ଝିଅକୁ ଦେଖାକରି ଫେରିବା ସମୟରେ ଭୟୁଜୀଙ୍କ ଗାଡି ଉପରେ ଏହି ଆକ୍ରମଣ ହୋଇଥିବା ବେଳେ କୌଣସିମତେ ଉକ୍ତ ସ୍ଥାନରୁ ସେ ଖସିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ତାଙ୍କ ଉପରକୁ ଢେଲାମାଡ଼ ମଧ୍ୟ ହୋଇଥିଲା।
୧୯୬୮ ମସିହା ଏପ୍ରିଲ ୨୯ରେ ମଧ୍ୟପ୍ରଦେଶ ଶାଜାପୁରର ସୁଜଲପୁରର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବା ୫୦ ବର୍ଷୀୟ ଭୟୁଜୀ ମହାରାଜଙ୍କ ପ୍ରକୃତ ନାମ ହେଉଛି ଉଦୟ ଦେଶମୁଖ। ପିଲାବେଳୁ ହିଁ ଆଧ୍ୟାତ୍ମିକ ଓ ଦର୍ଶନ ପ୍ରତି ଉଦୟଙ୍କର ଆଗ୍ରହ ରହିଥିଲା। ଖଣ୍ଡାଚଳନା ଓ ଘୋଡ଼ା ଚାଳନାରେ ମଧ୍ୟ ତାଙ୍କର ବେଶ୍‌ ସଉକ ଥିଲା। ଗାଁରୁ ବାହାରି ମୁମ୍ବାଇରେ ପହଞ୍ଚିବା ପରେ ଏକ ଘରୋଇ କମ୍ପାନିରେ ଚାକିରି ଆରମ୍ଭ କଲେ। କିନ୍ତୁ ଏଥିରେ ମନ ନଲାଗିବାରୁ ମଡେଲିଂ ଦୁନିଆରୁ ନିଜର କ୍ୟାରିୟର ତିଆରି କରିବା ଆରମ୍ଭ କଲେ। ଏହି ସମୟରେ କିଛି ନାମୀଦାମୀ କମ୍ପାନିର ବିଜ୍ଞାପନରେ ବି କାମ କରିଛନ୍ତି। କିନ୍ତୁ ଆଧ୍ୟାତ୍ମିକ ଦିଗରେ ତାଙ୍କର ଇଚ୍ଛା ମଡେଲିଂ ଛାଡିବାକୁ ବାଧ୍ୟ କଲା। ମୁମ୍ବାଇରୁ ପୁଣିଥରେ ଇନ୍ଦୋର ଚାଲିଆସି ସଦଗୁରୁ ଦତ୍ତ ଧାର୍ମିକ ଓ ପରମାର୍ଥ ଟ୍ରଷ୍ଟର ସ୍ଥାପନା କଲେ। ଏହିି ସମୟରେ ଉଦୟଙ୍କୁ ‘ଭୟୁଜୀ ମହାରାଜ’ ଟାଇଟଲ ମଧ୍ୟ ମିଳିଗଲା। ଭୂ-ସଂସ୍କାର, ଶିଶୁ ଶିକ୍ଷା ଓ ପାନୀୟ ଜଳ ଭଳି ସମସ୍ୟା ଦୂର କରିବା ଦିଗରେ ତାଙ୍କ ଟ୍ରଷ୍ଟ କାର୍ଯ୍ୟ କରିବା ଆରମ୍ଭ କଲା। ସୂର୍ଯ୍ୟ ଉପାସକ ଭୟୁଜୀ ମହାରାଜ ଘଣ୍ଟାଘଣ୍ଟା ଧରି ଜଳ ସମାଧି ନେଇଥିବା ଲୋକଙ୍କ ବିଶ୍ୱାସ ରହିଛି। ଏଥିପାଇଁ ମହାରାଷ୍ଟ୍ର ସରକାର ମଧ୍ୟ ତାଙ୍କୁ ରାଷ୍ଟ୍ର ସନ୍ଥ ସମ୍ମାନ ପ୍ରଦାନ କରିଛନ୍ତି। ଦିବଙ୍ଗଦ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବିଳାସରାଓ ଦେଶମୁଖ ତାଙ୍କ ଶ୍ୱଶୁର ହୋଇଥିବାରୁ ଭୟୁଜୀଙ୍କର ରାଜନୀତି ସହ ସମ୍ପର୍କ ଜଡିତ ରହିଥିଲା। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଓ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ଭୟୁଜୀଙ୍କ ଭକ୍ତ ତାଲିକାରେ ରହିଛନ୍ତି।
୨୦୦୨ରେ ଭୟୁଜୀ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଘୋଡାବେପାର ହେବା ଆଶଙ୍କାରେ ଏନସିପି ବିଧାୟକମାନଙ୍କୁ ଇନ୍ଦୋର ଅଣାଯାଇଥିଲା। ବିଧାୟକମାନେ ଆଶ୍ରମ ନିକଟସ୍ଥ ଏକ ହୋଟେଲରେ ରହିବା ପୂର୍ବରୁ ଦୀର୍ଘ ସମୟ ଧରି ଭୟୁଜୀଙ୍କ ସହ ରହିଥିଲେ।
୨୦୧୧ରେ ଦିଲ୍ଲୀର ରାମଲୀଳା ମଇଦାନରେ ଲୋକପାଳ ବିଲ ଦାବିରେ ଯେତେବେଳେ ଆନ୍ନା ହଜାରେ ଆମରଣ ଅନଶନରେ ବସିଥିଲେ,ସେତେବେଳେ ତତ୍କାଳୀନ ୟୁପିଏ ସରକାର ଭୟୁଜୀଙ୍କ ସହାୟତା ଲୋଡିଥିଲା। ସେ ଆସି ବୁଝାଇବା ପରେ ଆନ୍ନା ଅନଶନ ଭାଙ୍ଗିଥିଲେ। ସେହିବର୍ଷ ସେପ୍ଟେମ୍ବର ମାସରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅହମ୍ମଦାବାଦରେ ଆୟୋଜିତ ସଦଭାବନା ସମାବେଶରେ ଯୋଗଦେବାକୁ ମଧ୍ୟ ଭୟୁଜୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ,ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗାୟିକା ଲତା ମଙ୍ଗେସକର, ଆଶା ଭୋଷଲେ, ଅନୁରାଧା ପୋଡଓ୍ଵାଲ, ଅଭିନେତା ମିଲିନ୍ଦ ଗୁଣାଜୀଙ୍କ ଭଳି କ୍ଷାତନାମା ବ୍ୟକ୍ତିି ତାଙ୍କ ଇନ୍ଦାରର ବାପତ ସ୍ଥିତ ଆଶ୍ରମକୁ ଗସ୍ତ କରିଥିବା ନଜିର ରହିଛି। ମଧ୍ୟପ୍ରଦେଶ ସରକାର ତାଙ୍କୁ ନିକଟରେ ରାଷ୍ଟ୍ର ମନ୍ତ୍ରୀ ମର୍ଯ୍ୟାଦା ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଳାସବ୍ୟସନରେ ରହି ମଧ୍ୟ ନିଜର ପ୍ରାଥମିକ ଲକ୍ଷ୍ୟକୁ ନଭୁଲି ସେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଆଦି କ୍ଷେତ୍ରର ଉନ୍ନତି ପାଇଁ ପ୍ରଚଷ୍ଠା କରିଛନ୍ତି।

ସମ୍ବନ୍ଧିତ ଖବର