ୱାୟନାଡ଼ରେ ତ୍ରିକୋଣୀୟ ମୁକାବିଲା: ରାହୁଲଙ୍କୁ ଟକ୍କର ଦେବେ ତୁଷାର ‌ଭେଲ୍ଲାପଲ୍ଲି

ନୂଆଦିଲ୍ଲୀ: କେରଳର ୱା‌ୟନାଡ଼ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ ଏନ୍‌ଡିଏ ପ୍ରାର୍ଥୀ ବିଡିଜେଏସ୍‌ (ଭାରତ ଧର୍ମ ଜନ ସେନା) ଅଧ୍ୟକ୍ଷ ତୁଷାର ଭେଲ୍ଲାପଲ୍ଲି। କେରଳରେ ବିଜେପିର ସହ‌ଯୋଗୀ ଦଳ ବିଡିଜେଏସ୍‌ ସଭାପତି ତୁଷାର ଏନ୍‌ଡିଏ ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧୀଙ୍କୁ ମୁକା‌ବିଲା କରିବେ ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଟ୍ବିଟ୍‌ ମାଧ୍ୟମରେ ଘୋଷଣା କରିଛନ୍ତି। ଟାଣୁଆ ଯୁବ ନେତା ତୁଷାର ହିଁ ରାହୁଲଙ୍କୁ ଟକ୍କର ଦେଇପାରିବେ ବୋଲି ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଆମେଥୀ ସହ କେରଳର ୱାୟନାଡ଼ରୁ ନିର୍ବ‌ାଚନ ଲଢ଼ୁଥିବାବେଳେ ବିଜେପି ରାହୁଲଙ୍କୁ ହରାଇବାପାଇଁ ଦୃଢ଼ ରଣନୀତି ଆପଣାଇଛି । ଏହି ଆସନରେ ଏଲ୍‌ଡିଏଫ୍‌ର ସ୍ଥିତି ମଧ୍ୟ ମଜବୁତ ଥିବାରୁ ତ୍ରିକୋଣୀୟ ମୁକାବିଲା ହେବା ସ୍ପଷ୍ଟ ହୋଇଯାଇଛି। ଶ୍ରୀ ନାରାୟଣ ଧର୍ମପରିପାଳନ ଯୋଗମ୍ ସଂସ୍ଥାର ସାଧାରଣ ସଂପାଦକ ଭେଲ୍ଲାପ୍ପଲ୍ଲି ନାତେସନ୍‌ଙ୍କ ପୁଅ ତୁଷାର ଭେଲ୍ଲାପଲ୍ଲି ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଏବଂ ହିନ୍ଦୁ ଭୋଟ୍‌ର ଧ୍ରୃବୀକରଣରେ ସେ ସକ୍ଷମ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ‌ବି‌ଡିଜେଏସ୍‌ ପ୍ରଥମ ଥର ପାଇଁ କେରଳରୁ ଲୋକସଭା ନିର୍ବାଚନ ଲଢ଼ୁ୍‌ଥିବାବେଳେ ବୁଝାମଣା ଅନୁଯାୟୀ ଏହାକୁ ୫ଟି ଆସନ ମିଳିଛି। ଅନ୍ୟପକ୍ଷେ ୱାୟନାଡ଼ରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏଲଡିଏଫ୍‌ ସିପିଆଇର ପି ପି ସୁନୀରଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ଏପ୍ରିଲ ୨୩ ତାରିଖରେ ୱାୟନାଡ଼ରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ।

ସମ୍ବନ୍ଧିତ ଖବର