ପୂର୍ବତନ ସୈନିକମାନଙ୍କ ପରାମର୍ଶକୁ ମାନି ସରକାର ଦେଶରେ ପ୍ରତିରକ୍ଷା ମୁଖ୍ୟ ପଦବୀ ଆରମ୍ଭ କରିଛନ୍ତି : ରାଜନାଥ

ନୂଆଦିଲ୍ଲୀ : ସେବାନିବୃତ୍ତ ସେନା କର୍ମଚାରୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓ ସେମାନଙ୍କ ପରାମର୍ଶକୁ ମାନି ସରକାର ଦେଶରେ ପ୍ରତିରକ୍ଷା ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ପଦବୀ ଆରମ୍ଭ କଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ଦେଶରେ ଗତ ଦୁଇ ଦଶନ୍ଧି ଧରି ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି କରିବାକୁ ଦାବି ହୋଇଆସୁଥିବାବେଳେ ନିକଟରେ କେନ୍ଦ୍ର ସରକାର ଏହି ପଦବୀ ଆରମ୍ଭ କରିଛନ୍ତି ।
ମଙ୍ଗଳବାରଦିନ ୪ର୍ଥ ସେବାନିବୃତ୍ତ ସୈନିକ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ସୈନିକମାନେ ଦେଶ ଗଠନରେ ଅତୁଳନୀୟ ଅବଦାନ ଦେଇଛନ୍ତି । ଏଣୁ ସେମାନଙ୍କ କଲ୍ୟାଣ ଲାଗି ସରକାର ପ୍ରାଥମିକତା ଦେଉଛନ୍ତି ।
ଏହି ଅବସରରେ ସିଡିଏସ ଜେନେରାଲ ବିପିନ ରାଓ୍ଵତ ଓ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ପ୍ରମୁଖ ଉପସ୍ଥିତ ଥିଲେ ।
୧୯୫୩, ଜାନୁଆରି ୧୪ରେ ଦେଶର ପ୍ରଥମ ଫିଲଡ ମାର୍ସାଲ କେ.ଏମ. କାରିଆପ୍ପା ଅବସର ଗ୍ରହଣ କରିଥିଲେ । ଏହାକୁ ସ୍ମରଣୀୟ କରିବାକୁ ତିନି ବର୍ଷ ତଳେ ସରକାର ଜାନୁଆରି ୧୪କୁ ସେବାନିବୃତ୍ତ ସୈନିକ ଦିବସ ଭାବେ ଘୋଷଣା କରିଥିଲେ । ଦେଶ ସେବାରେ ବର୍ଷ ବର୍ଷ ଧରି କାର୍ଯ୍ୟକରି ଅବସର ନେଇଥିବା ସୈନିକମାନଙ୍କ ଦେଶପ୍ରତି ଅବଦାନକୁ ସ୍ୱୀକୃତି ପ୍ରଦାନ କରିବାକୁ ଏହି ଦିବସ ପାଳନ କରାଯାଇଥାଏ ।

ସମ୍ବନ୍ଧିତ ଖବର