ଉପରାଷ୍ଟ୍ରପତି ଖାରଜ କଲେ କାହିଁକି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ କରିଦେଇଥିବାରୁ କଂଗ୍ରେସ ବିରକ୍ତି ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଯେ ଭେଙ୍କୟା ତରବର ହୋଇ ଯେଭଳି ନିଷ୍ପତ୍ତି ନେଇଛନ୍ତି ତାହା ବେଆଇନ। ନୋଟିସରେ ଯେଉଁସବୁ ଅଭିଯୋଗ ଅଣାଯାଇଥିଲା ତାହାର ଯାଞ୍ଚ କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ଏହାନକରି ପ୍ରାଥମିକ ସ୍ତରରେ ହିଁ ନୋଟିସକୁ ଖାରଜ କରାଯିବା ଦୁର୍ଭାଗ୍ୟ୍ୟଜନକ। ଏଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି। ତେବେ ମହାଭିଯୋଗ ନୋଟିସ ଖାରଜ କରିବା ପରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହାର ୧୦ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି। ସେଗୁଡ଼ିକ ହେଲା:
ମହାଭିଯୋଗ ପ୍ରସ୍ତାବରେ ଯେଉଁସବୁ ତଥ୍ୟର ଉପସ୍ଥାପନା କରାଯାଇଛି, ସେଗୁଡ଼ିକ ମଧ୍ୟରୁ କୌଣସି ପ୍ରସଙ୍ଗରେ ମଧ୍ୟ ଜଷ୍ଟିସ୍‌ ମିଶ୍ର ଦୁର୍ବ୍ୟବହାର କରିଥିବା ପ୍ରମାଣିତ ହୋଇନି ଯେଉଁ ସାଂସଦମାନେ ଏହି ନୋଟିସ୍‌ ଆଣିଥିଲେ, ସେମାନଙ୍କୁ ମଧ୍ୟ ମହାଭିଯୋଗ ପଛର କାରଣ ଜଣାନଥିଲା। ଏତଦ୍‌ବ୍ୟତୀତ ଏହି ନୋଟିସ୍‌ରେ ଥିବା ସମସ୍ତ ଅସ୍ପଷ୍ଟ ଘଟଣା ଯଥା: ହୋଇଥାଇପାରେ, ହୋଇ ପାରିବ, କରିଥିବେ ଭଳି ପ୍ରସଙ୍ଗ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଗତ କରାଯାଇପାରିବ ନାହିଁ।

ଏଭଳି ଅଭିଯୋଗ ଦ୍ୱାରା ନ୍ୟାୟପଳିକାର ସ୍ୱାଧୀନତା ବିପଦରେ ରହୁଛି

ବିନା କୌଣସି ତାତ୍ପର୍ଜ୍ୟପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯିବ।

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯଥା: ପ୍ରସାଦ ଏଜୁକେସନ ଟ୍ରଷ୍ଟ ମାମଲା, ପଛ ତାରିଖ ମାମଲାରେ କୌଣସି ପ୍ରମାଣ ମିଳିପାରି ନାହିଁ।

ଯେଉଁ ସାଂସଦମାନେ ଏହି ମହାଭିଯୋଗ ଆଣିଥିଲେ, ସେମାନେ ଗଣମାଧ୍ୟରେ ଏସମ୍ପର୍କରେ ମନ୍ତବ୍ୟ ଦେଇ ସମ୍ବିଧାନ ଓ ସଂସଦୀୟ ପରଂପରାର ଉଲ୍ଲଂଘନ କରିଛନ୍ତି।

କୌଣସି ବ୍ୟକ୍ତିଗତ ଚିନ୍ତାଧାରା, କାର୍ଯ୍ୟ ଓ ବ୍ୟବହାର ଦ୍ୱାରା ଗଣତନ୍ତ୍ରର ପ୍ରମୁଖ ସ୍ତମ୍ଭ ନ୍ୟାୟପାଳିକାକୁ ଦୁର୍ବଳ କରାଯାଇପାରିବ ନାହିଁ।

ଅନେକ ବିଚାର ବିମର୍ଶ ଓ ଅଧ୍ୟୟନ ପରେ ଏହି ମହାଭିଯୋଗରେ ସେଭଳି କୌଣସି ସମ୍ବେଦନଶୀଳ ପ୍ରସଙ୍ଗ ନଥିବା ଜଣାପଡ଼ିଛି।

କେବଳ ଦୁର୍ବ୍ୟବହାର ଓ ଅକ୍ଷମତା ଦର୍ଶାଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଗତ କରାଯାଇପାରିବ, କିନ୍ତୁ ଏଥିରେ ସେଭଳି କୌଣସି କାରଣ ପରିଲକ୍ଷିତ ହୋଇପାରି ନାହିଁ।ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ହୋଇନଥିବାରୁ ଖାରଜ କରାଯାଉଛି।

ଆଜି କଂଗ୍ରେସ ଆଣିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ କହିଛନ୍ତି ଯେ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପରାଷ୍ଟ୍ରପତି ତରବରିଆ ଭାବେ ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ଉପରାଷ୍ଟ୍ରପତି ଏହି ମାମଲାରେ ଜନସାଧାରଣଙ୍କ ଆଗରେ ଛବି ଖରାପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଅତୀତରେ ଆସିଥିବା ମହାଭିଯୋଗ ପ୍ରସ୍ତାବଗୁଡ଼ିକର ବିଚାର ଉଚିତ ପ୍ରକ୍ରିୟାରେ ବିଚାର କରଯାଇଛି। ସମ୍ବିଧାନରେ ଏନେଇ ବିଭିନ୍ନ ଆଇନ ଥିବା ସତ୍ତ୍ୱେ ଉପରାଷ୍ଟ୍ରପତି ଏହି ପ୍ରକ୍ରିୟା ଗୁଡ଼ିକର ଅବଲମ୍ବନ ନକରିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି। ସେପଟେ ଏହି ମହାଭିଯୋଗକୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। କଂଗ୍ରେସର ଏହି ନୋଟିସକୁ ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ ଏବଂ ଅଶ୍ୱିନୀ କୁମାର ବିରୋଧ କରିଛନ୍ତି।

ମହାଭିଯୋଗ ଖାରଜ ପରେ…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ମହାଭିଯୋଗ ପ୍ରସ୍ତାବ ଖାରଜ କରିବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।
କପିଲ ସିବଲ: ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଟ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଦାଖଲ ହେବାକୁ ଥିବା ଏହି ମାମଲାରୁ ଜଷ୍ଟିସ ମିଶ୍ର ଦୂରେଇ ରହିବାକୁ ମଧ୍ୟ ସେ ଦାବି କରିଛନ୍ତି।

ମିନାକ୍ଷୀ ଲେଖି: କଂଗ୍ରେସର ଏଭଳି ମନ୍ତବ୍ୟ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ ରେ ମୁଖପାତ୍ର ମିନାକ୍ଷୀ ଲେଖି କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭାଙ୍ଗିବା କଂଗ୍ରେସର ଇତିହାସରେ ରହିଛି। ବଂଶବାଦରେ ଆଇନ୍‌କୁ ବଦଳାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୁବ୍ରମଣ୍ୟମ୍‌ ସ୍ୱାମୀ: ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍‌। ଏଭଳି ପଦକ୍ଷେପ ନେଇ କଂଗ୍ରେସ ରାଜନୈତିକ ଆତ୍ମହତ୍ୟା କରିଛି।

ଶିବସେନା: ମହାଭିଯୋଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅତି ନିମ୍ନମାନର ରାଜନୈତିକ ଖେଳ ଖେଳୁଛନ୍ତି। ଯେଉଁଭଳି ଭାବେ ମହାଭିଯୋଗ ପ୍ରସ୍ତାବ ଆସିଲା ଓ ଖାରଜ ହେଲା ତାହା ନିହାତି ଭାବେ ଚିନ୍ତାଜନକ ବୋଲି ଶିବସେନା ନେତା ଅରବିନ୍ଦ ସାଓ୍ଵନ୍ତ କହିଛନ୍ତି।

ରଣଦୀପ ସୁରଜେଓ୍ଵାଲା: ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଯେ, ଉପରାଷ୍ଟ୍ରପତି ଏହି ମହାଭିଯୋଗ ଖାରଜ କରିବାର ପ୍ରକୃତ କାରଣ ଦର୍ଶାଇପାରିବେ ନାହିଁ। ଏହା ସମ୍ପୂର୍ଣ୍ଣଭାବେ ଗଣତନ୍ତ୍ରର ବିନାଶକାରୀ ଓ ଗଣତନ୍ତ୍ର ସୁରକ୍ଷାକାରୀ ମଧ୍ୟରେ ଲଢେଇ।

ପୂର୍ବ ବିଚାରପତି ଆର୍‌ଏସ୍‌ ସୋଧି: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର୍‌ଏସ୍‌ ସୋଧି ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଠିକ୍‌ ବୋଲି କହିଛନ୍ତି। ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପାଇଁ କଂଗ୍ରେସ ନିକଟରେ କୌଣସି ଠୋସ୍‌ ପ୍ରମାଣ କି ପ୍ରସଙ୍ଗ ନଥିଲା। ତେଣୁ ଏହି ପ୍ରସ୍ତାବ ଖାରଜ ହେବା ସବୁ ଦିଗରୁ ଭଲ ହୋଇଛି।

ସମ୍ବନ୍ଧିତ ଖବର