ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ଖାରଜ କଲେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳସମୂହ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ଆଜି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଖାରଜ କରିଛନ୍ତି।

ଶୁକ୍ରବାର ଦିନ ସାତଟି ରାଜନୈତିକ ଦଳର ପ୍ରାୟ ୬୪ ଜଣ ସାଂସଦ ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ମହାଭିଯୋଗ ପ୍ରସ୍ତାବରେ ଦସ୍ତଖତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ, ଏନ୍‌ସିପି, ସିପିଏମ୍‌, ସିପିଆଇ, ଏସ୍‌ପି, ବିଏସ୍‌ପି ଏବଂ ମୁସ୍‌ଲିମ୍‌ ଲିଗ୍‌ର ସାଂସଦମାନେ।

ରାଜ୍ୟସଭା ଅଧ୍ୟକ୍ଷ ନାଇଡୁଙ୍କ ନିକଟରେ ଦାଖଲ କରାଯାଇଥିବା ଏହି ପ୍ରସ୍ତାବନା ବିଷୟରେ ଗତକାଲି ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ଏବଂ ପୂର୍ବତନ ଶୀର୍ଷସ୍ତରୀୟ ଆଇନ ଅଧିକାରୀ କେ ପରାସରନ୍‌ଙ୍କ ସମେତ ବହୁ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରା ଯାଇଥିଲା।

ଏହାଛଡ଼ା ନାଇଡୁ ପୂର୍ବତନ ଲୋକସଭା ସେକ୍ରେଟାରି ଜେନେରାଲ୍‌ ସୁଭାଷ କଶ୍ୟପ. ପୂର୍ବତନ ଆଇନ୍‌ ସଚିବ ପି କେ ମାଲହୋତ୍ରା ଏବଂ ପୂର୍ବତନ କାର୍ଯ୍ୟପାଳିକ ସଚିବ ସଞ୍ଜୟ ସିଂହଙ୍କ ସହ ମଧ୍ୟ ଏ ସଂକ୍ରାନ୍ତରେ ପରାମର୍ଶ କରିଥିଲେ। ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ଏହାଛଡ଼ା ସେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ପଚାରି ଥିଲେ।

ସମ୍ବନ୍ଧିତ ଖବର