ମହାଭିଯୋଗ ନୋଟିସ୍‌ ଖାରଜ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଆଜି ଖାରଜ କରିଦେଇଛନ୍ତି। କଂଗ୍ରେସ ନେତୃତ୍ୱରେ ସାତଟି ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଏହି ନୋଟିସକୁ ଖାରଜ କରି ନାଇଡ଼ୁ କହିଛନ୍ତି ଯେ ଏହା ଗ୍ରହଣଯୋଗ୍ୟ ନୁହେଁ। ସେ କହିଛନ୍ତି ଯେ ବିରୋଧୀ ଦଳମାନେ ନୋଟିସରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହାର କୌଣସି ଆଧାର ନାହିଁ। ଅନେକ ଆଇନ ବିଶାରଦ ତଥା ସମ୍ବିଧାନ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନୋଟିସ ପ୍ରତ୍ୟଖ୍ୟାନ କରିବା ସହିତ ନାଇଡ଼ୁ କଂଗ୍ରେସ ନେତାଙ୍କ ଆଚରଣ ନେଇ ଆପତ୍ତି ମଧ୍ୟ ଉଠାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନୋଟିସ ଦେବା ପରେ ଏସଂପର୍କରେ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସଂସଦୀୟ ବିଧି ଓ ପରଂପରାକୁ ଅସମ୍ମାନ କରିଛନ୍ତି। ସେମାନେ ଏହାଦ୍ୱାରା ରାଜ୍ୟସଭା ନିୟମର ମଧ୍ୟ ଉଲ୍ଲଂଘନ କରିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ପାର୍ଟିର ବରିଷ୍ଠ ନେତା ପିଏଲ୍‌ ପୁନିଆ କହିଛନ୍ତି ଯେ ନାଇଡ଼ୁଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଯିବ।

ସୂଚନାଯୋଗ୍ୟ, ବିରୋଧୀ ଦଳର ୬୪ ଜଣ ରାଜ୍ୟସଭା ସାଂସଦ ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ ମିଶ୍ରଙ୍କୁ ହଟାଇବା ଉଦ୍ଦେଶ୍ୟରେ ଗୃହ ଅଧ୍ୟକ୍ଷଙ୍କୁ ମହାଭିଯୋଗ ନୋଟିସ ଦେଇଥିଲେ। କୌଣସି ପ୍ରଧାନ ବିଚାରପତିଙ୍କ ବିରୋଧରେ ଏଭଳି ମହାଭିଯୋଗ ନୋଟିସ ଥିଲା ଭାରତୀୟ ଇତିହାସରେ ପ୍ରଥମ ଘଟଣା। କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଏମ୍‌, ଏସ୍‌ପି, ବିଏସ୍‌ପି ଏବଂ ମୁସଲିମ ଲିଗ୍‌ର ସାଂସଦମାନେ ଏହି ମହାଭିଯୋଗ ନୋଟିସରେ ଦସ୍ତଖତ କରିଥିଲେ।

ସେମାନେ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ୫ଟି ଅଭିଯୋଗ ଆଣିଥିଲେ। ସେଥିମଧ୍ୟରୁ ମୁଖ୍ୟ ଅଭିଯୋଗ ଥିଲା ଯେ ପ୍ରଧାନ ବିଚାରପତି ‘ମାଷ୍ଟର ଅଫ୍‌ ଦି ରୋଷ୍ଟର’ ପଦର ଦୁରୁପଯୋଗ କରି କିଛି ବିଚାରପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଦାୟିତ୍ୱ ଦେଉଛନ୍ତି। ସୁପ୍ରିମ କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଏହାର ପ୍ରତିବାଦ କରି ଗତ ଜାନୁଆରୀ ମାସରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯାହାକି ଅଭୂତପୂର୍ବ ଏବଂ ଭାରତ ବିଚାର
ବିଭାଗୀୟ ଇତିହାସରେ ପ୍ରଥମ ଘଟଣା ଥିଲା।

ମିଳିଥିବା ସୂଚନା ଅନୁସାରେ ମହାଭିଯୋଗ ନୋଟିସ ପାଇବା ପରେ ନାଇଡ଼ୁ ଅନେକ ସମ୍ବିଧାନ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ କରିଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ, କେ ପରାସରନ, ପିକେ ମଲହୋତ୍ରା ଏବଂ ସଂଜୟ ସିଂହ। ନୋଟିସ ପାଇବାର ୭୨ ଘଣ୍ଟା ମଧ୍ୟରେ ବ୍ୟାପକ ବିଚାର ବିମର୍ଶ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ସୁବ୍ରମଣ୍ୟମ ସ୍ୱାମୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଜେଟଲୀ ଏହି ନୋଟିସକୁ କଂଗ୍ରେସର ପ୍ରତିଶୋଧ ମୂଳକ ପଦକ୍ଷେପ ବୋଲି କହିଥିଲେ। ସେହିଭଳି ବିଜେପି ସାଂସଦ ସୁବ୍ରମଣ୍ୟନ୍‌ ସ୍ୱାମୀ ମଧ୍ୟ ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସଠିକ୍‌ ବୋଲି କହିଛନ୍ତି। ତେବେ କଂଗ୍ରେସ କହିଛି ଯେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏହି ପ୍ରସ୍ତାବ ଖାରଜ କରିବା ନେଇ ପୂର୍ବରୁ ଅନେକ ସମ୍ଭାବନା ରହିଥିବାରୁ ଦଳକୁ କୌଣସି ପ୍ରକାର ଝଟ୍‌କା ଲାଗିନାହିଁ।

ସମ୍ବନ୍ଧିତ ଖବର