ଶିଷ୍ୟାର ଲୋମଟାଙ୍କୁରା ବୟାନ: ଅନ୍ଧାର ଗୁମ୍ଫାରେ ବାରମ୍ବାର ଦୁଷ୍କର୍ମ କରିବା ପରେ ବଳାତ୍କାରୀ ଦାତି ମହାରାଜ କହିଲେ ତୁମର ମୋକ୍ଷ ପ୍ରାପ୍ତି ହେବ!

ନୂଆଦିଲ୍ଲୀ: ଭଣ୍ଡ ବାବାମାନଙ୍କ ବ୍ୟଭିଚାର ଓ କଳାକାରନାମାର ଆଉ ଏକ କାହାଣୀ ଏବେ ସାମ୍ନାକୁ ଆସିଛି। ଶନି ଉପାସକ ବୋଲାଉଥିବା ଦାତି ମହାରାଜଙ୍କ ନାମରେ ତାଙ୍କର ଜଣେ ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସରେ ଅଭିଯୋଗ କରିବା ପରେ ପୀଡ଼ିତା ସୁରକ୍ଷା ମାଗି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ପୁଲିସ ମଧ୍ୟ ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ତାଙ୍କୁ ଏ ଥାନାରୁ ସେ ଥାନାକୁ ଦୌଡାଇ ଥିଲେ ବୋଲି ଜଣାପଡ଼ିଛି। ସେ ଥାନାରେ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବସିବା ପରେ ପୁଲିସ ତାଙ୍କୁ ଏଫ୍‌ଆଇଆର୍‌ ଦେବା ଲାଗି ଫତେପୁର ବେରି ଥାନାକୁ ପଠାଇ ଦେଇଥିଲା।

ଅଭିଯୋଗ ପରେ ବାବାଙ୍କ ପାଶବିକ ଅତ୍ୟାଚାରର କାହାଣୀ ଉପରୁ ପର୍ଦ୍ଦା ଉଠିଛି। ପୀଡ଼ିତାଙ୍କ ପରିବାର ଦୀର୍ଘ ୧୫ ବର୍ଷ ଧରି ବାବା ଦାତି ମହାରାଜଙ୍କ ଅନୁଗାମୀ ଥିଲେ। ପୂର୍ବ ଯୋଜନା ଅନୁଯାୟୀ ବାବାଙ୍କର ଜଣେ ମହିଳା ଭକ୍ତ ଶ୍ରଦ୍ଧା ଓରଫ ଗୀତୁ ୨୫ ବର୍ଷୀୟୀ ପୀଡ଼ିତାଙ୍କୁ ‘ଚରଣ ସେବା’ କରିବାକୁ ବାବାଙ୍କ ନିକଟକୁ ନେଇଯାଇଥିଲେ। ପୀଡ଼ିତାଙ୍କ ବୟାନ ଅନୁଯାୟୀ, ବାବା ଏକ ଅନ୍ଧାର ଗୁମ୍ଫାରେ ଥିଲେ। ପୀଡ଼ିତାଙ୍କୁ ଧଳା ପୋଷାକ ପିନ୍ଧାଇ ଦିଆଯାଇଥିଲା। ସେ କିଛି ବୁଝିବା ପୂର୍ବରୁ ବାବା ତାଙ୍କୁ ବଳପୂର୍ବକ ମାଡ଼ି ବସିଥିଲେ। ଏହାପରେ ବାବା ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଯନ୍ତ୍ରଣାରେ ବିକଳ ଚିତ୍କାର କରୁଥିଲେ ମଧ୍ୟ ଦାତି ମହାରାଜ କୁକର୍ମ ଜାରି ରଖିଥିଲେ। ଏହି ଘଟଣା ଥିଲା ୨୦୧୬ ମସିହା ଜାନୁଆରି ୯ର। ଏହାପରେ ସେହିବର୍ଷ ପୁଣି ଥରେ ମାର୍ଚ୍ଚ ୨୬,୨୭ ଓ ୨୮ ତାରିଖରେ ଭିନ୍ନ ଭିନ୍ନ ସ୍ଥାନରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବାବା। ଶେଷରେ ଦାତି ମହାରାଜା ପୀଡ଼ିତାଙ୍କୁ କହିଥିଲେ କି ‘ତୁମ ସେବା ଏବେ ସଂପୂର୍ଣ୍ଣ ହେଲା।’

ବାବାଙ୍କ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ବାବାଙ୍କ ସହଯୋଗୀ ଶ୍ରଦ୍ଧା ପୀଡ଼ିତାଙ୍କୁ ବୁଝାଇଥିଲା କି ଏହାଫଳରେ ତାଙ୍କର ମୋକ୍ଷ ପ୍ରାପ୍ତି ହେବ। ଏବେ ତୁମେ ବାବାଙ୍କର ହୋଇଗଲ। ଏ ସବୁ ନୂଆ ନୁହେଁ,ଆମେ ଏହିକାମ କରିସାରିଛୁ,ଆଜି ତୁମେ କଲ। ପୀଡ଼ିତା ଏକଥା ବି ଅଭିଯୋଗ କରିଛନ୍ତି କି ବାବା ଦୁଷ୍କର୍ମ କରିବା ପରେ ତାଙ୍କର ଜଣେ ସହଯୋଗୀ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି।

ବର୍ତ୍ତମାନ ପୀଡ଼ିତାଙ୍କ ପରିବାର ନ୍ୟାୟ ଭିକ୍ଷା କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗର ପ୍ରକୃତ ତଦନ୍ତ କଲେ ବାବାଙ୍କ ବଳାତ୍କାରୀ ଚେହେରା ସାମ୍ନାକୁ ଆସିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର