ଦେଖନ୍ତୁ ଭିଡିଓ: ପ୍ରଧାନମନ୍ତ୍ରୀଙ୍କ ସଭାମଞ୍ଚରେ ତ୍ରିପୁରାର ମନ୍ତ୍ରୀଙ୍କ ହାତ ସହଯୋଗୀ ମହିଳା ମନ୍ତ୍ରୀଙ୍କ ଅଣ୍ଟାରେ

ନୂଆଦିଲ୍ଲୀ: ତ୍ରିପୁରାର ମନ୍ତ୍ରୀ ମନୋଜକାନ୍ତି ଦେବ ଅଭଦ୍ରୋଚିତ ଭାବେ ସାମାଜିକ ଜନମଙ୍ଗଳ ଏବଂ ସାମାଜିକ ଶିକ୍ଷା ମନ୍ତ୍ରୀ ସାନ୍ତାନା ଚକ୍‌ମାଙ୍କ ଅଣ୍ଟାରେ ହାତ ଲଗାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଶନିବାର ଦିନ ଅଗରତାଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଖାଦ୍ୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନୋଜକାନ୍ତି ମଞ୍ଚାସୀନ ମହିଳାମନ୍ତ୍ରୀଙ୍କ ସହ ଅଶୋଭନୀୟ ଆଚରଣ କରୁଥିବାର ଦୃଶ୍ୟଟି ଉତ୍ତୋଳନ କରାଯାଇଛି। ଜନଜାତି ସମ୍ପ୍ରଦାୟର ଏହି ଯୁବା ନେତ୍ରୀ ବିଜେପି ମନ୍ତ୍ରୀ ମନୋଜଙ୍କ ହାତକୁ ଠେଲି ହଟାଇ ଦେଉଥିବାର ଦେଖା ଯାଉଛି।

ଏ ଭଳି ଅଶୋଭନୀୟ ଆଚରଣ ଲାଗି ରାଜ୍ୟ ମନ୍ତ୍ରୀ ମନୋଜକାନ୍ତିଙ୍କୁ ବହିଷ୍କାର କରାଯାଉ ବୋଲି ତ୍ରିପୁରାର ବିରୋଧୀ ଦଳ ବାମ ସାମ୍ମୁଖ୍ୟ ଦାବି କରିଛି। ବାମ ସାମ୍ମୁଖ୍ୟର ଆବାହକ ବିଜନ ଧର କହିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଆଦି ସର୍ବସାଧାରଣଙ୍କୁ ସମ୍ବୋଧନ କରୁଥିବା ମଞ୍ଚରେ ଜଣେ ମହିଳାଙ୍କୁ ଅତି ଅଭଦ୍ରୋଚିତ ଭାବେ ସ୍ପର୍ଶ କରିଥିବା ମନୋଜକାନ୍ତି ଦେବଙ୍କୁ ବହିଷ୍କାର କରାଯାଇ ଗିରଫ କରାଯିବା ଉଚିତ।

ତାଙ୍କର ଇସ୍ତଫା ଏବଂ ଗିରଫଦାରି ଦାବି କରି କେତେକ ଜନଜାତି ଆଧାରିତ ଦଳ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ କରୁଛନ୍ତି।

ଏ ସଂକ୍ରାନ୍ତରେ ମନ୍ତ୍ରୀ ମନୋଜକାନ୍ତି କିଛି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ବିଜେପି ମୁଖପାତ୍ର ନବେନ୍ଦୁ ଭଟ୍ଟାଚାର୍ଜୀ କହନ୍ତି: ବାମପନ୍ଥୀମାନେ ଉଠାଇ ଥିବା ମାମଲାରେ ସ୍ୱଂୟ ମହିଳା ମନ୍ତ୍ରୀ କୌଣସି ମନ୍ତବ୍ୟ କି, ଅଭିଯୋଗ କରି ନାହାନ୍ତି। ବାମପନ୍ଥୀଏ କାହିଁକି ଏ ଭଳି ଅଶୋଭନୀୟ ରାଜନୀତି କରୁଛନ୍ତି?

ସମ୍ବନ୍ଧିତ ଖବର