ବିକ୍ରି କରିବା ପାଇଁ ଗରିବ ଚାଷୀ ଆଣିଥିବା ପରିବାକୁ ନଷ୍ଟ କଲା ୟୁପି ସରକାରୀ କର୍ମଚାରୀଙ୍କ ଗାଡ଼ି, ଭାଇରାଲ ହେଲା ଭିଡିଓ

ହାପୁର(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ି ଗରିବ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ପରିବାକୁ ନଷ୍ଟ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଫା ସଫା ଏକ ଧଳା ରଙ୍ଗର ସରକାରୀ ଗାଡ଼ି ଗରିବ ଚାଷୀଙ୍କ ପରିବା ଉପରେ ଚଢ଼ି ଯାଉଥିବା ଦେଖାଯାଇଛି। ଗାଡ଼ିଟି ସରକାରୀ କର୍ମଚାରୀ ସୁଶିଲ କୁମାରଙ୍କର ବୋଲି ଜଣା ପଡ଼ିଥିବା ବେଳେ ସେ ସରକାରଙ୍କ ଦ୍ବାରା ଚାଲୁଥିବା ସେହି ମାର୍କେଟର ସେକ୍ରେଟାରୀ ବୋଲି ଜଣା ପଡ଼ିଛି। ଏହି ଘଟଣା ଘଟୁଥିବା ବେଳେ ସୁଶିଲ କୁମାର ସେଠାରେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କ ଗାଡ଼ି ଚାଳକ ଏଭଳି କରିଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଘଟଣାଟି ଶନିବାର ଘଟିଥିଲା। ମାର୍କେଟର ସଦସ୍ୟ ମିଶି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। କିଛି ଚାଷୀ ବିନା ଅନୁମତିରେ ସରକାରୀ ମାର୍କେଟରେ ପରିବା ବିକୁଥିବାରୁ ସେମାନଙ୍କୁ ହଟାଇବା ପାଇଁ ବିକ୍ରି କରିବାକୁ ଆଣିଥିବା ପରିବା ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ତେବେ ଏହି ଘଟଣାରେ ସୁଶିଲ କୁମାରଙ୍କ ଗାଡ଼ିର ବ୍ୟବହାର କରାଯାଇଥିବା ବେଳେ ତାଙ୍କୁ ଏ ନେଇ ପ୍ରତିକ୍ରିୟା ମଗାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ, ଆମେ ମାନେ ଚାଷୀଙ୍କୁ ଅନେକ ଥର ରାସ୍ତାରେ ନ ବସି ଦୋକନ କରି ଭିତରେ ବସିବା ପାଇଁ କହି ଆସିଛୁ। ଯେଉଁମାନଙ୍କର ଦୋକାନ ନାହିଁ ସେମାନଙ୍କୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ମଧ୍ୟ କହିଛୁ।  ସବୁ ପରେ ବି ସେମାନେ ନିୟମ ନ ମାନି ରାସ୍ତା କଡ଼ରେ ପରିବା ବିକୁଛନ୍ତି। କିନ୍ତୁ ସେମାନଙ୍କୁ ହଟାଇବା ପାଇଁ ମୋ ଗାଡ଼ିର ଚାଳକ ଯାହା କରିଛନ୍ତି, ତାହା ସଂପୂର୍ଣ୍ଣ ଅନୁଚିତ। ଏ ନେଇ ମୁଁ ତାଙ୍କୁ ତାଗିଦ୍ କରିବା ସହ ଆଗକୁ ଏଭଳି ନ କରିବା ପାଇଁ କହିଛି।

ସମ୍ବନ୍ଧିତ ଖବର