ଭିଡିଓ ଭାଇରାଲ୍‌: ଟାର୍ଗେଟ୍‌ ହାସଲ କରି ନ ଥିବା କର୍ମଚାରୀଙ୍କୁ ରାସ୍ତାରେ ହାମୁଡ଼ାଇ ଚଲାଇଲା ଚୀନ୍‌ କମ୍ପାନି

ନୂଆଦିଲ୍ଲୀ: ବାର୍ଷିକ ଲକ୍ଷ୍ୟ (ଟାର୍ଗେଟ୍‌) ହାସଲ୍‌ କରି ନ ଥିବା କର୍ମଚାରୀମାନଙ୍କ ପ୍ରତି ଦଣ୍ଡବିଧାନପୂର୍ବକ ଚୀନ୍‌ର ଗୋଟିଏ କମ୍ପାନି ନିକଟ ଅତୀତରେ ସେମାନଙ୍କୁ ରାସ୍ତାରେ ହାମୁଡ଼ାଇ ଚାଲିବାକୁ ବାଧ୍ୟ କରିଥିଲା।

ଯାନବାହନ ଚଳାଚଳ କରୁଥିବା ଏକ ରାସ୍ତାରେ ପତାକା ଧରି ଚାଲୁଥିବା ଜଣେ ଲୋକଙ୍କ ପଛରେ ସେ କମ୍ପାନିର କର୍ମଚାରୀମାନେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ।

ଯୋଗ ଭଲ, ପୁଲିସ ହସ୍ତକ୍ଷେପ କରିବାରୁ ଦଣ୍ଡ ବିଧାନ ସେଇଠି ଅଟକି ଗଲା, କିନ୍ତୁ, ତା’ ପୂର୍ବରୁ ସେ ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ ହୋଇ ସାରିଥିଲା।

ଭିଡିଓରେ ଦେଖାଯାଉଛି: କର୍ମଚାରୀଙ୍କ ଦଶା ଦେଖି ପଥଚାରୀମାନେ ଆବାକାବା ହୋଇ ଯାଉଛନ୍ତି।

ଭିଡିଓ ପୋଷ୍ଟ୍‌ ହେବା ପରେ, ଏ ଭଳି କାଣ୍ଡଜ୍ଞାନରହିତ ଆଚରଣକୁ ସଭିଏଁ ସମାଲୋଚନା କରୁଛନ୍ତି। ଜଣେ ମନ୍ତବ୍ୟ ଦେଇ କହିଛନ୍ତି: ମୋର ଇଚ୍ଛା, କର୍ମଚାରୀମାନଙ୍କ ସମ୍ମାନକୁ ଦଳନ କରୁଥିବା କମ୍ପାନିଗୁଡ଼ିକ ବନ୍ଦ ହୋଇଯିବା ଉଚିତ।

କମ୍ପାନିର ଏତାଦୃଶ ଆଚରଣକୁ ସହି ନେଇଥିବାରୁ କେତେକ ଲୋକ ଉକ୍ତ କର୍ମଚାରୀମାନଙ୍କୁ ଗାଳି ଦେଇଛନ୍ତି। ସେମାନେ କହିଛନ୍ତି: କେଇଟା ଟଙ୍କା ପାଇଁ ସେମାନେ ଆତ୍ମସମ୍ମାନକୁ ବଳି ଦେଲେ କେମିତି?

ଖବର ଅନୁସାରେ, ଏ ଘଟନା ପରେ ପରେ ଉକ୍ତ କମ୍ପାନି ସାମୟିକ ଭାବେ ବନ୍ଦ ହୋଇ ଯାଇଛି।

ସମ୍ବନ୍ଧିତ ଖବର