ବିଜେପି ବିଧାୟକଙ୍କ ଝିଅ ଓ ପ୍ରେମିକଙ୍କ ଭିଡିଓ ଭାଇରଲ

ବରେଲୀ: ଉତ୍ତରପ୍ରଦେଶର ବରେଲୀର ବିଜେପି ବିଧାୟକ ରାଜେଶ ମିଶ୍ର ତାଙ୍କ ଝିଅକୁ ଧମକ ଦେଉଥିବାର ଖୋଦ ଝିଅ ଏକ ଭିଡିଓ ଜାରି କରି କହିଛନ୍ତି | ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏକ ଭିଡିଓରେ ବିଧାୟକଙ୍କ ଝିଅ ସାକ୍ଷୀ ଓ ତାଙ୍କ ପ୍ରେମିକରୁ ସ୍ୱାମୀ ବନିଥିବା ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି | ସାକ୍ଷୀ ଏହି ଭିଡିଓରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ବାପା ଓ ସମର୍ଥକ ସେମାନଙ୍କ ପଛରେ ପଡିଯାଇଛନ୍ତି |

ଜୀବନରୁ ମାରିଦେବାକୁ ଧମକ ଦେବା ସହ ସବୁବେଳେ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି | ତେବେ ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ | ସୋସିଆଲ ମିଡିଆରେ ୨ଟି ଭିଡିଓ ଭାଇରାଲ ହୋଇଛି | ପ୍ରଥମଟିରେ ସାକ୍ଷୀ ନିଜ ସ୍ୱାମୀ ଅଜୀତେଶଙ୍କ ସହ ଦେଖିବାକୁ ମିଳିଛନ୍ତି | ସାକ୍ଷୀ କହିଛନ୍ତି ଯେ ନିଜ ଇଚ୍ଛାରେ ସେ ବିବାହ କରିଛନ୍ତି | ଯାହାପରେ ତାଙ୍କ ବାପଘର ପଛରେ ପଡିଯାଇଛନ୍ତି | ସେ କହିଛନ୍ତି ଯଦି ତାଙ୍କ ବାପଘର ତାଙ୍କୁ ଖୋଜି ପାଇଯାନ୍ତି ତେବେ ନିଶ୍ଚିତ ଜୀବନରୁ ମାରିଦେବେ |

ଦ୍ଵିତୀୟ ଭିଡିଓରେ ସେ ତାଙ୍କ ପିତାଙ୍କୁ ଗୁହାରି କରିଛନ୍ତି ଯେ ସଉକ ପାଇଁ ସେ ସିନ୍ଦୁର ପିନ୍ଧି ନାହାନ୍ତି | ଆପଣ ରାଜନୀତି କରନ୍ତୁ, ମୋତେ ସ୍ୱାଧୀନତା ଭାବେ ଜୀବନ ବଞ୍ଚିବାକୁ ଦିଅନ୍ତୁ | ସେପଟେ ବିଧାୟକ କହିଛନ୍ତି ଯେ ଝିଅ ଏବେ ସାବାଳିକା ହୋଇସାରିଛି | ନିଜର ନିଷ୍ପତ୍ତି ନେବାର ଅଧିକାର ତାହାର ଅଛି | କୌଣସି ପ୍ରକାର ହତ୍ୟା ଧମକ ଦେଇନାହାନ୍ତି ବୋଲି ବିଧାୟକ ଜଣକ ସ୍ପଷ୍ଟ କରିଛନ୍ତି | ତେବେ ଏହି ଘଟଣାକୁ ନେଇ ପୁଲିସ ଏବେ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର