ଚଳିବନି ମାଲ୍ୟାଙ୍କ ବାହାନାବାଜି

ତିହାର ଜେଲ୍‌କୁ ଲଣ୍ଡନ୍‌ ହାଇକୋର୍ଟଙ୍କ କ୍ଲିନ୍‌ଚିଟ୍‌, ପ୍ରତ୍ୟର୍ପଣ ଆଶା ଉଜ୍ଜୀବିତ

ଲଣ୍ଡନ: ବ୍ୟାଙ୍କଗୁଡ଼ିକର ୯,୦୦୦ କୋଟି ଟଙ୍କା ଠକିନେଇ ପଳାଇଥିବା ମଦସମ୍ରାଟ ବିଜୟ ମାଲ୍ୟାଙ୍କ ବାହାନାବାଜି ଆଉ ଚଳିବ ନାହିଁ। ତିହାର ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମାଲ୍ୟା ଯେଉଁ ବାହାନା ଦେଖାଉଥିଲେ, ସେଥିରେ ରୋକ ଲାଗିବ। ନୂଆଦିଲ୍ଲୀରେ ଥିବା ତିହାର ଜେଲ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଲଣ୍ଡନ ହାଇକୋର୍ଟ କହିବା ପରେ ମାଲ୍ୟାଙ୍କ ଏହି ବାହାନା ଆଉ କାମ ଦେବନାହିଁ। ଏଣିକି ତାଙ୍କର ଭାରତ ପ୍ରତ୍ୟର୍ପଣ ନେଇ ବାଟ ଫିଟିବ। ଉଲ୍ଲେଖଯୋଗ୍ୟ, କ୍ରିକେଟ୍‌ ମ୍ୟାଚ୍‌ ଫିକ୍ସିଂ ଅଭିଯୁକ୍ତ ସଞ୍ଜୀବ ଚାୱଲାଙ୍କର ଏକ ମାମଲା‌ରେ ଲଣ୍ଡନ୍‌ ହାଇକୋର୍ଟ ତିହାର ଜେଲ୍‌କୁ ସୁରକ୍ଷିତ ବୋଲି ଦର୍ଶାଇଛନ୍ତି। ଲଣ୍ଡନ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଲେଗାଟ୍‌ ଏବଂ ଜଷ୍ଟିସ୍‌ ଡିଙ୍ଗେମ୍ୟାନ୍ସଙ୍କ ଖଣ୍ଡପୀଠ ନିଜର ଏକ ରାୟରେ କହିଛନ୍ତି ଯେ ଭାରତର ତିହାର ଜେଲ୍‌ରେ ସଞ୍ଜୀବ ଚାୱଲାଙ୍କ ପ୍ରତି କୌଣସି ବିପଦ ନାହିଁ। ଜେଲ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ। ସେଠାରେ ମଧ୍ୟ ତାଙ୍କର ଯତ୍ନ ନିଆଯାଇ ପାରିବ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକଦା ଚହଳ ପକାଇଥିବା ହାନ୍‌ସି କ୍ରୋନିଏ ମ୍ୟାଚ୍‌ ଫିକ୍ସି ମାମଲାରେ ଚାୱଲା ଜଣେ ଅଭିଯୁକ୍ତ ରହିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର୍‌ ଅଜୟ ଜାଡ଼େଜା ଓ ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ଏଥିରେ ଅଭିଯୁକ୍ତ ରହିଛନ୍ତି। ବ୍ରିଟେନ୍‌ ନାଗରିକ ତଥା ପ୍ରବାସୀ ଭାରତୀୟ ସଞ୍ଜୀବ ଚାୱଲାଙ୍କୁ ପ୍ରତ୍ୟର୍ପଣ କରି ଆଣିବା ପାଇଁ ଭାରତ ଚାହୁଥିବା ବେଳେ ଅସୁସ୍ଥ ଦର୍ଶାଇ ସେ ଏହାକୁ ଏଡ଼ାଉଥିଲେ। ଏମିତି କି ତିହାର ଜେଲ୍‌ ଉପରେ ସେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ହାଇକୋର୍ଟ ଜେଲ୍‌କୁ ସୁରକ୍ଷିତ ବୋଲି ରାୟ ଦେବା ପରେ ତାଙ୍କର ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହୋଇଯାଇଛି। ଲଣ୍ଡନ ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ମାଲ୍ୟାଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଲାଗୁହେବ। ଫଳରେ ବ୍ରିଟେନ୍‌ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ସବୁଜ ସଂକେତ ଦେବେ ବୋଲି ଆଶା କରାଯାଉଛି। ଋଣ ଖିଲାପକାରୀ ମାଲ୍ୟାଙ୍କୁ ସମନ୍‌ ସତ୍ତ୍ବେ ସେ ଭାରତ ଆସୁନାହାନ୍ତି। ‌ଶେଷରେ ନିଜ ପ୍ରତ୍ୟର୍ପଣକୁ ଏଡ଼ାଇବା ପାଇଁ ମାଲ୍ୟା ତିହାର ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଥିଲେ। ଏହାପରେ କୋର୍ଟ ଭାରତରୁ ଜେଲ୍‌ର ଭିଡିଓ ମଗାଇଥିଲେ। ଘଟଣା ବେଶ୍‌ ନାଟକୀୟ ହୋଇଥିଲା।

ସମ୍ବନ୍ଧିତ ଖବର