ବିଜୟ ମାଲ୍ୟାଙ୍କୁ ସମର୍ଥନ କରି ତାଙ୍କୁ ‘ଚୋର’ କହିବା ଅନୁଚିତ ବୋଲି ଯୁକ୍ତି ବାଢ଼ିଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି

ମୁମ୍ବାଇ: ମୁମ୍ବାଇଠାରେ ଗୁରୁବାର ଆୟୋଜିତ ହୋଇଥିବା ଇକୋନୋମିକ୍‌ କନ୍‌କ୍ଲେଭ୍‌ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସମର୍ଥନ କରି ଚର୍ଚ୍ଚା ପାଲଟିଛନ୍ତି। ନିତିନ ବିଜୟଙ୍କ ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ ଥରେ ମାତ୍ର ଋଣ ପରିଶୋଧ ନକରିବା ହେତୁ କାହାକୁ ଚୋର କୁହାଯିବା ଅନୁଚିତ। ମାଲ୍ୟାଙ୍କ ପୂର୍ବ ୪୦ ବର୍ଷର ରେକର୍ଡ ଦେଖିଲେ ସେ ସମସ୍ତ ଋଣ ଉଚିତ ସମୟରେ ପରିଶୋଧ କରି ଦେଇଛନ୍ତି।

ଏହି କନ୍‌କ୍ଲେଭ୍‌ରେ ଗଡ଼କରି ଆହୁରି ବି କହିଛନ୍ତି କି, ‘ଗତ ୪୦ ବର୍ଷ ହେବ ମାଲ୍ୟା ନେଉଥିବା ଋଣର ସୁଦ୍ଧ ସହ ଟଙ୍କା ଠିକ୍‌ ସମୟରେ ଫେରସ୍ତ କରିଛନ୍ତି। ସେ ବିମାନ ଚଳାଚଳ କ୍ଷେତ୍ରରେ ପାଦ ଦେବା ପରେ ଅନେକ ଅସୁବିଧା ତାଙ୍କ ଜୀବନରେ ଆସିଲା। ତେଣୁ ସେ ଋଣ ଶୁଝିବା ପରିସ୍ଥିତିରେ ରହିଲେ ନାହିଁ। ଅଚାନକ ସେ ଚୋର ପାଲଟିଗଲେ? ଯଦି ଜଣେ ଲୋକ ୫୦ ବର୍ଷ ଧରି ଋଣ ଶୁଝିଛି। କୌଣସି ଅସୁବିଧା ହେତୁ ଥରେ ଋଣ ପରିଶୋଧ କରିବା ଅବସ୍ଥାରେ ରହିଲେ ନାହିଁ ତେବେ କ’ଣ ସେ ଚୋର ହୋଇଗଲେ! ଆମର ଏପରି ଚିନ୍ତାଧାରା ହିଁ ଭୁଲ।’

ସେ ପୁଣି କହିଛନ୍ତି କି ‘ଯଦି କେହି କହନ୍ତି ନୀରବ ମୋଦି ଚୋର ତାହାଲେ ମୁଁ ରାଜି ହେବି। ତାଙ୍କୁ ଆଇନ୍‌ ଦୃଷ୍ଟିରେ ରଖିବା ଉଚିତ। ମାତ୍ର ଯଦି କେହି ଦୁର୍ଦଶା ଦେଇ ଗତି କରୁଛି ଓ ଆମେ ତାଙ୍କୁ ଠକର ନାମ ଦେଉଛେ ତେବେ ଆମର ଅର୍ଥନୀତି ବିକାଶ ପଥରେ ଆଗଉ ନାହିଁ। ବ୍ୟବସାୟରେ ଉତ୍‌ଥାନ ପତନ ଲାଗି ରହିଥାଏ। ପତନ କୌଣସି ବ୍ୟକ୍ତିର ଠକାମୀ ନୁହେଁ।’

ସମ୍ବନ୍ଧିତ ଖବର