ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ ରୁପାନି

ଭବ୍ୟ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶହା, ଆଡଭାନୀ, ରାଜନାଥ ସିଂହ, ଆଦିତ୍ୟନାଥ ଯୋଗୀ,

ଗାନ୍ଧିନଗର: ଆଜି ଦିନ ୧୧ଟା ୩୦ ମିନିଟ୍‌ରେ ଗୁଜୁରାଟ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାନି ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଗୁଜୁରାଟର ରାଜ୍ୟପାଳ ଓ.ପି. କୋହଲି ଶ୍ରୀ ରୁପାନିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏତଦବ୍ୟତୀତ ଶ୍ରୀ ରୁପାନିଙ୍କ ପରାମର୍ଶ କ୍ରମେ ନିତିନ ପଟେଲଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୧୮ଜଣଙ୍କୁ ମନ୍ତ୍ରୀ ଭାବେ ରାଜ୍ୟପାଳ ଓ.ପି. କୋହଲି ଶପଥପାଠ କରାଇଛନ୍ତି।  ସେଥିମଧ୍ୟରେ ମାତ୍ର ଜଣେ ମହିଳାଙ୍କୁ ସାମିଲ କରାଯାଇଛି।

ଏହି ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଭାଜପା ଅଧ୍ୟକ୍ଷ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନିତନ୍ ଗଡ଼କରି, ରବିଶଙ୍କର ପ୍ରସାଦ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌,ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିଜୟ ରାଜେ ସିନ୍ଧିଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ସାମିଲ ହୋଇଛନ୍ତି।


ଗୁଜରାଟ ନିର୍ବାଚନେରେ ୬ଷ୍ଠ ଥର ପାଇଁ ବିଜେପିକୁ ସ୍ପଷ୍ଟ ବହୁମତ ମିଳଥିଲା। ପରେ ପରେ କିଏ ରାଜ୍ୟରେ ସରକାରଙ୍କ ମଙ୍ଗ ଧରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ତେବେ ୨୦୧୬ ଅଗଷ୍ଟ ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସହିତ ଅଳ୍ପ ଦିନ ମଧ୍ୟରେ ନିର୍ବାଚନକୁ ସାମନା କରି ଦଳକୁ ବିଜୟୀ କରିଥିବା ବିଜୟ ରୁପାନିଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରି ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତି ନେଇଥିଲା।

ମଙ୍ଗଳବାର ସକାଳେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ପହଞ୍ଚିଥିଲେ। ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଥିବା ବିଜୟ ରୁପାନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।
ଏହି ଶପଥ ଗ୍ରହଣ ଉତ୍ସବରେ ୧୨ ହଜାରରୁ ଊର୍ଧ୍ୱ ଲୋକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଶହଶହ ସଂଖ୍ୟାରେ ସାଧୁସନ୍ଥ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର