କେରଳ ଭୂସ୍ଖଳନ: ସକାଳୁ ସଞ୍ଜ ଯାଏଁ ମାଟି ଖୋଳି କନ୍ୟାର ସୁନା ଗହଣା ପାଇଲେ ଗ୍ରାମବାସୀ

ମାଡ଼ିକେରି: କୁସୁମର ବାହାଘର ଆଉ ତିନି ଦିନ ବାକି ଥାଏ, କର୍ଣ୍ଣାଟକ ହାତ୍ତିହୋଲ ଗାଁ ଲୋକେ ମଙ୍ଗଳବାର ଦିନ ଗୋଟାଏ ବଡ଼ ଅଭିଯାନରେ ବାହାରିଲେ। ସେ ଅଭିଯାନ ହେଲା ଭୂସ୍ଖଳନ ଯୋଗୁଁ କେଉଁଠି ପୋତି ହୋଇଯାଇଥିବା କୁସୁମ ବାହାଘର ପାଇଁ ଥିବା ସୁନା ଗହଣା। ଟଙ୍କାପଇସା ସଞ୍ଚି ୬୪ ବର୍ଷିୟ ଉମେଶ ସେଟ୍ଟି ନିକଟରେ ଝିଅ ବାହାଘର ପାଇଁ ଅଳଙ୍କାର କିଣି ଲୁହା ଟ୍ରେଜରିରେ ରଖିଥିଲେ। ଭୂସ୍ଖଳନ ଯୋଗୁଁ ଟ୍ରେଜେରି ସମେତ ଗହଣା କୁଆଡ଼େ ପୋତି ହୋଇଗଲା ତା’ର ପତ୍ତା ମିଳିଲା ନାହିଁ।

ଟ୍ରେଜେରି ପାଇବାକୁ ଦିନେ ଯେଉଁଠି ସେଟ୍ଟିଙ୍କ ଘର ଥିଲା ସେ ଅଞ୍ଚଳରେ ଗ୍ରାମବାସୀମାନେ ଖୋଳଖୋଳି କଲେ। ସେ ଜାଗାକୁ ଗାଡ଼ିଘୋଡ଼ା ଯିବା ପାଇଁ ବାଟ ନ ଥିବାରୁ ସ୍ଥାନୀୟ ଲୋକଙ୍କ ହାତରେ ଯାହା ପଡ଼ିଲା, ସେଥିରେ ମାଟିକାଦୁଅ ଖୋଳାଖୋଳି କଲେ। ଖୋଳିବା ଯୋଗୁଁ ଅଧିକ ଭୂସ୍ଖଳନ ଘଟିବାର ଆଶଙ୍କା ମଧ୍ୟ ଥିଲା। କିନ୍ତୁ, ସେଥିପ୍ରତି ଲୋକମାନଙ୍କର ଖାତର ନ ଥିଲା।

ଅଗଷ୍ଟ ୧୬ ତାରିଖ ଦିନ ଭୂସ୍ଖଳନ ଘଟି ସେଟ୍ଟୀଙ୍କର ଘର ଧ୍ୱଂସ ହୋଇ ଯାଇଥିଲା। କଫି ବଗିଚା ଶ୍ରମିକ ସେଟ୍ଟୀ ଅଗଷ୍ଟ ୨୬ ତାରିଖରେ ଝିଅ କୁସୁମର ବାହାଘର ପକ୍କା କରିଥିଲେ। ଏବେ ବିନା ଗହଣାରେ ଝିଅ ବାହା ହେବା କଥା ଭାବି ହତାଶ ହୋଇ ପଡ଼ିଥିଲେ ସେ।

ବର ଧନଞ୍ଜୟ କିନ୍ତୁ, ଭରସା ଦେଇ କହିଥାଆନ୍ତି, ଗହଣା ନ ହେଲା ନାହିଁ, ଧାର୍ଯ୍ୟ ତାରିଖ ଦିନ ବାହାଘର ହେଉ। ସେଟ୍ଟୀ ଏଣେ ଅଡ଼ି ବସିଥାଆନ୍ତି ଯେମିତି ହେଉ ସେ ସୁନା ଅଳଙ୍କାର ଖୋଜି ବାହାର କରିବେ। ତାଙ୍କ ପତ୍ନୀ ସୁଗୁଣାଙ୍କର ମଧ୍ୟ ସେହି ଇଚ୍ଛା।

ସେ ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟା ହେବା ଖବର ଶୁଣି ସେଟ୍ଟି ସପରିବାର ତୁରନ୍ତ ଗରଗୁଣ୍ଡୁର ଗାଁ’ରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ।

ସମ୍ପର୍କୀୟ କହନ୍ତି: ରାତିସାରା ସେମାନେ ଅନେକ ବାଟ ଚାଲି ଚାଲି ଆସିଥିଲେ। ବିପଦ୍‌ ଏମିତି ମାଡ଼ି ଆସୁଥିଲା ଯେ ଘରୁ କିଛି ଜିନିଷପତ୍ର ଆଣିବାକୁ ସମୟ ମିଳିଲା ନାହିଁ। ଖାଲି ଖାଲି ସେମାନେ ଘରୁ ଚାଲି ଆସିଥିଲେ।

ସକାଳୁ ସକାଳୁ ବଡ଼ ଧୀମା ଗତିରେ ଲୋକେ ଖୋଳାଖୋଳି କରୁଥିଲେ। ସନ୍ଧ୍ୟା ସରିକି ଅପ୍ରତ୍ୟାଶିତ ଭାବେ ସାହାଯ୍ୟ ଆସିଲା। ସ୍ଥାନୀୟ ବିଧାୟକ ଆପ୍ପାଚ୍‌ଚୁ ରଞ୍ଜନ ଘଟଣାସ୍ଥଳକୁ ଗୋଟାଏ ଜେସିବି ପଠାଇଲେ। ଗୋଟାଏ ଅସ୍ଥାୟୀ ରାସ୍ତା ତିଆରି କରାଯାଇ ସେଜିବି ଅଣାଯାଇଥିଲା। ସନ୍ଧ୍ୟା ବେଳକୁ ଜେସିବି ସେଟ୍ଟୀଙ୍କ ଲୁହା ଟ୍ରେଜରି ମାଟି ଭିତରୁ ଉଠାଇ ଆଣିଲା। ସେଥିରେ ଥିବା ସୁନା ଅଳଙ୍କାର ଠିକ୍‌ଠାକ୍‌ ଥିଲା। କିନ୍ତୁ, ନଗଦ ଟଙ୍କା ହଜି ଯାଇଛି।

ସମ୍ବନ୍ଧିତ ଖବର