ଦେଶବ୍ୟାପୀ ଅସନ୍ତୋଷର ନିଆଁ

ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ଆଇନରେ ସଂଶୋଧନ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦେଶବ୍ୟାପୀ ଦଳିତ ଅସନ୍ତୋଷର ନିଆଁ ବ୍ୟାପିବାରେ ଲାଗିଛି। ଗତକାଲି ଭାରତ ବନ୍ଦ ପାଳନ ବେଳେ ହୋଇଥିବା ବ୍ୟାପକ ହିଂସା ସରକାରଙ୍କ କଳ୍ପନା ବାହାରେ ଥିଲା। ଆଜି ବି ଏହି ଅସନ୍ତୋଷର ନିଆଁ ଲିଭି ନଥିବା ବେଳେ ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି ଓ କର୍ଫ୍ୟୁ ବଳବତ୍ତର ରହିଛି। ସର୍ବଭାରତୀୟ ଅନସୂଚିତ ଜାତି/ଜନଜାତିି ମହାସଂଘ ସହ ସମ୍ପୃକ୍ତ ୧୫ଶହ ସରକାରୀ କର୍ମଚାରୀ ଆଜି ପୁନର୍ବାର ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଲିଖିତ ପିଟିସନ ଦାଖଲ କରିଥିଲେ। ମିଳିଥିବା ଖବର ମୁତାବକ, ଗତକାଲିର ବନ୍ଦ ପାଳନ ବେଳେ ସାରା ଦେଶରେ ୧ଲକ୍ଷରୁ ଅଧିକ ଦଳିତ ସଂଗଠନ ସାମିଲ ହୋଇଥିଲେ।
ସୁପ୍ରିମକୋର୍ଟଙ୍କ ଗତ ୨୦ ତାରିଖର ରାୟକୁ ନେଇ ଏଭଳି ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ଦଳିତ ସମ୍ପ୍ରଦାୟଙ୍କ ଭିତରେ ଅସନ୍ତୋଷର ନିଆଁ ଜଳୁଥିଲା। ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶ, ହରିଆନା, ଗୁଜରାଟ, ୟୁପି ଓ କେରଳରେ ଅନୁସୂଚିତ ଜାତି ବିରୋଧୀ ଅପରାଧର ମାତ୍ରା ବୃଦ୍ଧି ପାଉଛି। ବିଗତ କିଛି ବର୍ଷ ମଧ୍ୟରେ ଅନୁସୂଚିତ ଜାତି/ଜନଜାତିଙ୍କ ପକ୍ଷରୁ ଆଗତ ଅଭିଯୋଗରେ ମଧ୍ୟ ଗିରଫର ମାତ୍ରା ହ୍ରାସ ପାଇଛି। ଏସ୍‌ସିଏସ୍‌ଟିଙ୍କ ଦ୍ୱାରା ଆଗତ ମାମଲାଗୁଡ଼ିକ ମଧ୍ୟରୁ ୧୦ ପ୍ରତିଶତରୁ ମଧ୍ୟ କମ୍‌ ମାମଲା ମିଥ୍ୟା ପ୍ରମାଣିତ ହୋଇଛି। ଆଜି ବି ଭାରତୀୟ ସମାଜରେ ଅନୁସୂଚିତ ଜାତି/ଜନଜାତି ବର୍ଗର ଲୋକେ ଅତ୍ୟାଚାରିତ ଅବସ୍ଥାରେ ରହିଥିବା ସେମାନେ ଅଭିଯୋଗ କରୁଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ ସୁଯୋଗ ଦିଆଯାଉ ନାହିଁ। ବରଂ ଅନ୍ୟ ସମ୍ପ୍ରଦାୟରେ ବିବାହ, ମନ୍ଦିରରେ ପ୍ରବେଶ, ଛୁଆଁ ଅଛୁଆଁ ଭେଦଭାବ ଭଳି ଅନେକ ପରିସ୍ଥିତିରେ ସେମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର