ହିଂସାତ୍ମକ ଧମକ ଗ୍ରହଣୀୟ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ କହିଛନ୍ତି ଯେ ଗଣତନ୍ତ୍ରରେ ହିସାଂତ୍ମକ ଧମକ ଗ୍ରହଣୀୟ ନୁହେଁ। ସେ ଆଜି ନୂଆଦିଲ୍ଲୀଠାରେ ଟାଇମ୍‌ସ ଲିଟେରାରି ଫେଷ୍ଟିଭାଲର ଉଦ୍‌ଘାଟନ ଉତ୍ସବରେ ଅତିଥି ରୂପେ ଯୋଗଦେଇ ଶ୍ରୀ ନାଇଡ଼ୁ ବିବାଦୀୟ ସିନେମା ‘ପଦ୍ମାବତୀ’ର ନାମ ନ ନେଇ ଦେଶର ଆଇନ୍‌ ବ୍ୟବସ୍ଥା ବିରୁଦ୍ଧରେ ଚଳଚ୍ଚିତ୍ର ଧାର୍ମିକ ଓ ସାଂପ୍ରଦାୟିକ ଭାବପ୍ରବଣତାକୁ ଆଘାତ କରୁଥିବା ହେତୁ ବିରୋଧର ସମ୍ମୁଖୀନ ହେଉଥିବା ବିଷୟର ଅବତାରଣା କରିଥିଲେ । ଆମେ ସାଧାରଣ ଲୋକଙ୍କର ଭାବପ୍ରବଣତାର ସମ୍ମାନ କରିବା ଉଚିତ୍‌। ଆମେ କହିପାରିବା ନାହିଁ ଯେ ଗୋଟିଏ ସଂପ୍ରଦାୟ ଠିକ୍‌ ଓ ଅନ୍ୟଟି ଭୁଲ୍‌। ତେବେ ନିଜର ଦାବି ଲାଗି ହିଂସାତ୍ମକ ଧମକ ଗ୍ରହଣୀୟ ହେବନାହିଁ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନିଜର ମାତୃଭାଷା ପ୍ରତି ସମ୍ମାନ ଦିଆଯିବା ଉପରେ ବି ଗୁରୁତ୍ୱ ଆରୋପ କରିଛନ୍ତି।ସ୍କୁଲ୍‌ ଛାତ୍ରଛାତ୍ରୀମାନେ ପ୍ରଥମେ ସେମାନଙ୍କର ମାତୃଭାଷା ଶିଖିବା ଉଚିତ। ଜୀବନରେ ପାଞ୍ଚଟି ଜିନିଷ ମନେ ରଖିବା ଉଚିତ୍‌। ଏଗୁଡ଼ିକ ହେଲା-ମାଆ, ଜନ୍ମଭୂମି,ମାତୃଭାଷା,ମାତୃଭୂମି ଏବଂ ମହିଳାଙ୍କୁ ସମ୍ମାନ।

ସେ ଆହୁରି କହିଛନ୍ତି ଯେ,କେତେକ ରାଜନେତା ତିନିଟି ସି(ଜାତି,ସଂପ୍ରଦାୟ ଓ ଅର୍ଥ)କୁ ମନେ ରଖୁଛନ୍ତି। କିନ୍ତୁ ମୁଁ ଯେଉଁ ତିନିଟି ସି ସର୍ବଦା ମନେରଖେ ତାହା ହେଲା-ଚରିତ୍ର, ଗୁଣବତ୍ତା ଓ ବ୍ୟବହାର। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବି.ଆର୍‌.ଆମ୍ବେଦକରଙ୍କ ପର୍ଯ୍ୟନ୍ତ ଆମର ମହାନ୍‌ ନେତାଗଣ ମାନବସେବା ଉପରେ ଗୁରୁତ୍ୱ ଦେଇ ଆସିଥିବା କଥା ସେ ଉଲ୍ଲେଖ କରିଥିଲେ।

ଶ୍ରୀ ନାଇଡୁ ବିମୁଦ୍ରାକରଣକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଥିବା ମଧ୍ୟ କହିଛନ୍ତି। ଏହା ଫଳରେ ଭାରତ ବିଶ୍ୱରେ ଏକ ଅର୍ଥନୈତିକ କ୍ଷମତାକେନ୍ଦ୍ର ରୂପେ ଉଭା ହୋଇଛି ଓ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଉତ୍ତମ ଗନ୍ତବ୍ୟର ମାନ୍ୟତା ପାଇଛି ବୋଲି ସେ କହିଛନ୍ତି। ଜଣେ ନାଗରିକ ଭାବେ ସେ ଚାହାଁନ୍ତି ଯେ ଦୁର୍ନୀତିର ମୂଳୋତ୍ପାଟନ ହେଉ ଓ କଳାଧନ ବିରୁଦ୍ଧରେ ଲଢ଼େଇ ଜାରି ରହୁ। ଜିଏସ୍‌ଟି ସମସ୍ୟାର ସମାଧାନ ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ନାଇଡ଼ୁ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର