ପୁଲୱାମା ଆକ୍ରମଣ: ଭର୍ଚୁଆଲ୍‌ ସିମ୍‌ ବ୍ୟବହାର ହୋଇଥିଲା

ତଦନ୍ତରେ ସହଯୋଗ କରିବ ଆମେରିକା

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ଗତମାସରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଅକ୍ରମଣରେ ଭର୍ଚୁଆଲ ସିମ୍‌ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଭର୍ଚୁଆଲ୍‌ ସିମ୍‌ ବ୍ୟବହାର କରି ଜୈସ୍‌ ଏ ମହମ୍ମଦର ଆତ୍ମଘାତୀ ଆକ୍ରମଣକାରୀ ମାଷ୍ଟରମାଇଣ୍ଡ୍‌ମାନଙ୍କ ସହ କଥାବାର୍ତ୍ତା କରୁଥିଲା ବୋଲି ବରିଷ୍ଠ ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ‌ଭାବେ ହୋଇଥିବା ଏହି ଆକ୍ରମଣ ପାଇଁ ପ୍ରାୟ ୪ ମାସ ତଳୁ ପ୍ରସ୍ତୁତି ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିବା ବେଳେ ଏବେ ଭର୍ଚୁଆଲ୍‌ ସିମ୍‌ ମାମଲାର ତଦନ୍ତ ନେଇ ଭାରତ ଆମେରିକାର ସହଯୋଗ ଲୋଡ଼ିଛି। ଭର୍ଚୁଆଲ୍‌ ସିମ୍‌ ସେବା ପ୍ରଦାନକାରୀ ସଂସ୍ଥା ଆମେରିକାର ହୋଇଥିବାରୁ ଭାରତ ପକ୍ଷରୁ ଆଜି ଆମେରିକୀୟ ଅଧିକାରୀଙ୍କ ସହାୟତା ଲୋଡ଼ାଯାଇଛି। ଆଦିଲ ପାକିସ୍ତାନରେ ରହୁଥିବା ଜୈସ୍‌ ସଂଚାଳକମାନଙ୍କ ସହ ଏହି ସିମ୍‌ ମାଧ୍ୟମରେ ଲଗାତାର ସଂପର୍କରେ ରହୁଥିଲା। ମୁଖ୍ୟ ମାଷ୍ଟରମାଇଣ୍ଡ ମୁଦାସିର୍‌ ଖାନ୍‌କୁ ଇତିମଧ୍ୟରେ ସୁରକ୍ଷା ବାହିନୀ ନିପାତ କରିବାରେ ସକ୍ଷମ ହୋଇଛି। ୧୪ ଫେବ୍ରୁଆରିରେ ହୋଇଥିବା ପୁଲ୍‌ୱାମା ଆକ୍ରମଣରେ ୪୧ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଯାଇଥିଲେ।

ଭର୍ଚୁଆଲ୍‌ ସିମ୍‌ କ’ଣ?
ଏକ ସାଧାରଣ ସିମ୍‌ କାର୍ଡ ସ୍ମାର୍ଟ ଫୋନ୍‌ରେ ଯେଉଁ କାମ କରୁଛି ତାହାର ବ୍ୟବହାର ନକରି ମଧ୍ୟ ଏକ ସ୍ବତନ୍ତ୍ର ଆପ୍‌ ମାଧ୍ୟମରେ ଭର୍ଚୁଆଲ୍‌ ସିମ୍‌ ସେବା ଉପଲବ୍ଧ କରିହେବ। ଏହି ଆପ୍ଲିକେସନ ଦ୍ବାରା ପ୍ରଥମେ କମ୍ପ୍ୟୁଟରରେ ଏକ ଟେଲିଫୋନ୍‌ ନମ୍ବର ଉତ୍ପନ୍ନ କରିବାକୁ ହେବ ଏବଂ ଏହାପରେ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନ୍‌ରେ ସିମ୍‌ ବିହୀନ ନମ୍ବର ବ୍ୟବହାର ପାଇଁ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ। ଏହି ନମ୍ବରକୁ ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌, ଟେଲିଗ୍ରାମ କିମ୍ବା ଟ୍ବିଟର୍‌ ଭଳି ସୋସିଆଲ ନେଟ୍‌ୱର୍କିଂ ସାଇଟ୍‌ ‌ସହ ଯୋଡ଼ିବାକୁ ହେବ। ଏହି ନେଟ୍‌ୱର୍କିଂ ସାଇଟ୍‌ ମାଧ୍ୟମରେ ଭେରିଫିକେସନ କୋଡ ସ୍ମାର୍ଟଫୋନ୍‌ରେ ଆସିବ ଏବଂ ଏହି କୋଡ ବ୍ୟବହାର କରି କଥାବାର୍ତ୍ତା କରିହେବ। ପୁଲୱାମା ଆକ୍ରମଣରେ ଭର୍ଚୁଆଲ୍‌ ସିମ୍‌ ଟେକ୍‌ନୋଲୋଜି ବ୍ୟବହାର ହୋଇଥିବାରୁ ଏହାକୁ କେବେ ଓ କେତେ ସମୟ ସକ୍ରିୟ ରଖାଯାଇଥିଲା ଏବଂ ଏଥିରେ ହୋଇଥିବା ବାର୍ତ୍ତାଳାପ ସଂପର୍କିତ ତଥ୍ୟ ହାସଲ ପାଇଁ ଭାରତ ଆମେରିକାର ସହାୟତା ଲୋଡ଼ିଛି। ଏହା ସହିତ ଏଥିପାଇଁ ବ୍ୟବହାର ହୋଇଥିବା କମ୍ପ୍ୟୁଟରର ଆଇପି ଆଡ୍ରେସ୍‌ ମଧ୍ୟ ଜାଣିବା ପାଇଁ ଭାରତ ପ୍ରୟାସ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର