ଭାରତୀୟଙ୍କ ପାଇଁ ଭିସା ଫି’ ୧୭୦୦ ଟଙ୍କାରୁ ୧୧୦୦ ଟଙ୍କାକୁ କମାଇଲା ଇସ୍ରାଏଲ୍‌

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଇସ୍ରାଏଲ୍‌ ଭିସା ଫି’ ୧୭୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ହ୍ରାସ କରିଛି। ଇସ୍ରାଏଲ୍‌କୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଇସ୍ରାଏଲ୍‌ ଏ ଭଳି ପଦକ୍ଷେପ ନେଇଥିବା କଥା ଜଣାପଡ଼ିଛି।

ସଂଶୋଧିତ ଆବେଦନ ଫି’ ବି-ଟୁ ଭିସା ବର୍ଗ ଯଥା:- ବାଣିଜ୍ୟ, ସଭାସମିତି ଏବଂ ପର୍ଯ୍ୟଟନ ପାଇଁ ଲାଗୁ ହେବ। ଇସ୍ରାଏଲ୍‌ ପର୍ଯ୍ୟଟନ ମନ୍ତ୍ରାଳୟର ଭାରତ ଓ ଫିଲିପ୍ପିନ୍‌ସ ବିଭାଗର ନିର୍ଦେଶକ ହାସ ମଦାଃ କହିଛନ୍ତି: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ତତ୍କାଳ ଭିସା ଫି’ ହ୍ରାସ କଥା ଘୋଷଣା କରି ଆମେ ଆନନ୍ଦିତ। ମୋର ବିଶ୍ୱାସ ଏହି ପଦକ୍ଷେପ ଯୋଗୁଁ ଅଧିକ ଲୋକ ଇସ୍ରାଏଲ୍‌କୁ ହଲିଡେ’ ଡେଷ୍ଟିନେସନ୍‌ ଭାବେ ବାଛିବେ; ବିଶେଷ କରି ଭାରତରୁ ଅଧିକ ପର୍ଯ୍ୟଟକ ଆସିବେ। ଏ ବର୍ଷର ଆଦ୍ୟରେ ଭିସା ନିୟମରେ ସରଳତା ଓ ଫାଷ୍ଟ୍‍ ଟ୍ରାକ୍‌ ଭିସା ପ୍ରୋସେସିଙ୍ଗ୍‌ ସାମିଲ ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିବା ଆମେ ଦେଖିଛୁ। ଭିସା ଫି’ ସଂଶୋଧନ ହେବା ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆମର ବିଶ୍ୱାସ। ଏହା ବାଦ୍‌, ଆମେ ଇ-ଭିସା ପ୍ରୋସେସିଙ୍ଗ୍‌ ଓ ଗ୍ରୁପ୍‌ ଭିସା ବ୍ୟବସ୍ଥା ମଧ୍ୟ କରୁଛୁ।

ସେ ଆହୁରି କହିଛନ୍ତି: ଗତ ତିନି ବର୍ଷ ହେବ ଆମେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍‌ ବଢ଼ି ଥିବାର ଦେଖିଛୁ। ୨୦୧୭ରେ ୬୦ ହଜାର ଭାରତୀୟ ପର୍ଯ୍ୟଟକ ଇସ୍ରାଏଲ୍‌ ଆସିଥିଲେ।

ସମ୍ବନ୍ଧିତ ଖବର