ହାଓ୍ଵାଇରେ ଭୟଙ୍କର ଅଗ୍ନି ଉଦଗୀରଣ, ରାସ୍ତା ମଧ୍ୟ ଫାଟି ଲାଭା ବାହାରୁଛି

ହାଓ୍ଵାଇ( ଆମେରିକା) : ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ହାଓ୍ଵାଇ ଦ୍ୱୀପରେ ଶନିବାର ଦିନ ଏକ ବଡ଼ଧରଣର ଆଗ୍ନେୟ ଉଦଗୀରଣ ହୋଇଛି । ହାଓ୍ଵାଇର ବିଗ୍‌ ଆଇଲାଣ୍ଡରେ ହୋଇଥିବା ଏହି ଅଗ୍ନେୟ ଉଦଗୀରଣ ଫଳରେ ୬.୯ ତୀବ୍ରତାର ଭୂମିକମ୍ପ ଆସିଛି । ୧୯୭୫ ପରେ ହାଓ୍ଵାଇରେ ହୋଇଥିବା ଏହା ସର୍ବାଧିକ ଶକ୍ତିଶାଳୀ ଭୂମିକମ୍ପ । ବିଗ୍‌ ଆଇଲାଣ୍ଡର କିଲାଉ ଆଗ୍ନେୟଗିରିରେ ହୋଇଥିବା ଏହି ଆଗ୍ନେୟ ଉଦଗୀରଣ ଫଳରେ ସେ ଅଂଚଳରେ ରହୁଥିବା ପ୍ରାୟ ୧୭ଶହ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।

ଗତ ଗୁରୁବାରଦିନ ପ୍ରଥମ ଥର ପାଇଁ ଲାଭା ଉଦଗୀରଣ ହେବା ପରେ ସ୍ଥାନୀୟ ଲେଇଲାନୀ ଇଷ୍ଟେଟ ଓ ଲାନିପୁନା ଗାର୍ଡେନ୍ସର ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ବିସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଅଂଚଳରେ ଥିବା ସଡ଼କ ଗୁଡ଼ିକରୁ ମଧ୍ୟ ଲାଭା ବାହାରିବାରୁ ଲୋକଙ୍କୁ ବାଧ୍ୟତାମୂଳକ ହଟାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଲାଭା ବାହାରିବା ସହିତ ବିଷାକ୍ତ ସଲଫର ଡାଇରକ୍ସାଇଡ୍‌ ଗ୍ୟାସ ନିର୍ଗତ ହେଉଥିବାରୁ ଉକ୍ତ ଅଂଚଳରେ ରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇ ଉଠିଛି ବୋଲି ହାଓ୍ଵାଇର ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ହାଓ୍ଵାଇର ଏହି କିଲାଉ ପର୍ବତରେ ବିଶ୍ୱର ଏକ ସକ୍ରିୟ ଆଗ୍ନେୟ ଗିରି ରହିଛି । ଗତ ୧୯୮୩ରୁ ଏଠାରେ ନିୟମିତ ଲାଭା ବାହାରୁଛି ।

ସମ୍ବନ୍ଧିତ ଖବର