ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ରାଞ୍ଚି: ଆଜି ସକାଳ ୭ଟାରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୫ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଏଥିଲାଗି ମତଦାନ କେନ୍ଦ୍ରଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାଯାଇଛି ।

ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ରହିଛି। ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଆଗାମୀ ଡିସେମ୍ବର ୨୦ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଆଗାମୀ ଡିସେମ୍ବର ୨୩ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହେବ ।

Jharkhand election fourth phase
Image Source-India Today

ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଆଜିର ମତଦାନ ପ୍ରକ୍ରିୟାରେ ଝାଡ଼ଖଣ୍ଡରେ ୨ ଜଣ ମନ୍ତ୍ରୀଙ୍କ ସମେତ ୨୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ମଧୁପରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶ୍ରମ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜ ପାଲିୱାର ଓ ଜେଏମଏମ ପ୍ରାର୍ଥୀ ହୁସେନ ଅନସାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଥିବା କୁହାଯାଉଛି।

ସେହିପରି ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଅମନ କୁମାର ବାଉରୀଙ୍କର ବି ଆଜି ଭାଗ୍ୟ ନିର୍ଦ୍ଧାରିତ ହେଉଛି। ଝରିଆ ଆସନରେ ଗୋଟିଏ ପରିବାରରୁ ୨ ଜଣ ମହିଳା ଅବତୀର୍ଣ୍ଣ ହୋଇଛନ୍ତି । ଏଠାରେ ବିଜେପି ଟିକେଟରେ ରାଗିଣୀ ସିଂହଙ୍କ ବିପକ୍ଷରେ କଂଗ୍ରେସର ପୂର୍ଣ୍ଣିମା ନୀରଜ ସିଂହ ପ୍ରାର୍ଥୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର