ଡ୍ରୋନ୍‌ ଉଡ଼ାଇବାକୁ ଚାହାଁନ୍ତି? ପ୍ରଥମେ ତାଲିମ୍‌ ନିଅନ୍ତୁ

ନୂଆଦିଲ୍ଲୀ: ରିମୋଟ୍‌ଲି ପାଇଲଟେଡ୍‌ ଏୟାର୍‌କ୍ରାଫ୍‌ଟ୍‌ ସିଷ୍ଟମ୍‌ସ୍‌ (ଆର୍‌ପିଏଏସ୍‌) ବା ଡ୍ରୋନ୍‌ ଉଡ଼ାଉ ଥିବା ଲୋକମାନଙ୍କ ଉପରେ ନଜର ରଖିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ କଠୋର ନିୟମ କରିଛି।

୨ କିଲୋଗ୍ରାମ୍‌ରୁ ଅଧିକ ଓଜନର ଡ୍ରୋନ୍‌ ଉଡ଼ାଇବା ପାଇଁ ଲାଇସେନ୍‌ସ୍‌ ପାଇବାକୁ ଲାଗିବ ୨୫, ୦୦୦ ଟଙ୍କା। ପୁଣି ସେ ଲାଇସେନ୍‌ସ୍‌ ରିନ୍ୟୁ କରିବାକୁ ପଡ଼ିବ ୧୦ ହଜାର ଟଙ୍କା। ଖାଲି ସେତିକି ନୁହେଁ, ଡ୍ରୋନ୍‌ ଉଡ଼ାଇବାକୁ ଚାହୁଁଥିବା ଯେ କୌଣସି ଲୋକ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ଅନୁମୋଦିତ ଉଡ଼ାଣ ତାଲିମ ସଂସ୍ଥାନରୁ ଆନୁଷ୍ଠାନିକ ତାଲିମ ଗ୍ରହଣ କରିବାକୁ ପଡ଼ିବ। ସିକ୍ୟୁରିଟି ଏଜେନ୍‌ସିଙ୍କ ଠାରୁ ଛାଡ଼ି ଉଡ଼ାଣକାରୀମାନେ ପ୍ରଥମେ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର (ୟୁଆଇଏନ୍‌) ହାସଲ କରିବା ଆବଶ୍ୟକ।

ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ଆର୍‌ପିଏଏସ୍‌ ବା ଡ୍ରୋନ୍‌ଗୁଡ଼ିକୁ ୫ଟି ଶ୍ରେଣୀଭୁକ୍ତ କରିଛି। ନାନୋ (୨୫୦ ଗ୍ରାମ୍‌ ଓଜନ ବିଶିଷ୍ଟ ବା ଖେଳନା ଭାବେ ବ୍ୟବହୃତ), ମାଇକ୍ରୋ (୨୫୦ ରୁ ୨ କିଲୋ), କ୍ଷୁଦ୍ର (୨ କିଲୋରୁ ୨୫ କିଲୋ), ମଧ୍ୟମ (୨୫ କିଲୋରୁ ୧୫୦ କିଲୋ) ଏବଂ ବଡ଼ (୧୫୦ କିଲୋରୁ ଊର୍ଦ୍ଧ୍ୱ)।

ୟୁଆଇଏନ୍‌ ପାଇଁ ଆବେଦନ କରିବା ପୂର୍ବରୁ ବିଦେଶରୁ ଆମଦାନି କରାଯାଇଥିବା ଡ୍ରୋନ୍‌ଗୁଡ଼ିକ ଲାଗି ଡିଜିସିଏ ଇମ୍ପୋର୍ଟ କ୍ଲିଅରାନ୍‌ସ୍‌ ଏବଂ ଡିଜିଏଫ୍‌ଟି ଠାରୁ ଇମ୍ପୋର୍ଟ ଲାଇସେନ୍‌ସ୍‌ ପାଇବା ଆବଶ୍ୟକ ବୋଲି ଡିଜିସିଏ ମୁଖ୍ୟ ବି ଏସ୍‌ ଭୁଲ୍ଲାର ଜାରି କରିଥିବା ଗାଇଡାନ୍‌ସ୍‌ ମାନ୍ୟୁଆଲ୍‌ରେ ଉଲ୍ଲେଖ କରାଯାଇଛି।

ଡ୍ରୋନ୍‌ ଉଡ଼ାଇବାକୁ ଇଚ୍ଛୁକ ବ୍ୟକ୍ତି ୧୮ ବର୍ଷରୁ ଅଧିକ ବୟସ୍କ ହୋଇଥିବେ। ଇଂରାଜୀରେ ଅନ୍ୟୂନ ୧୦ମ ପାସ୍‌ କରିଥିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ସିକ୍ୟୁରିଟି କ୍ଲିଅରାନ୍‌ସ୍‌ ପାଇଥିବେ କିଂବା ପାସ୍‌ପୋର୍ଟ, ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ କିଂବା ଆଧାର କାର୍ଡରୁ ଯେକୌଣସି ଦୁଇଟିର ସେଲ୍‌ଫ୍‌ ଆଟେଷ୍ଟେଡ୍‌ କପି ଦାଖଲ କରିବେ।

ସମ୍ବନ୍ଧିତ ଖବର