ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର କଳାବାଦଲ, ଇରାକରେ ଥିବା ନିଜ ଦୂତାବାସ କର୍ମଚାରୀଙ୍କୁ ଖାଲି କଲା ଆମେରିକା

ନୂଆଦିଲ୍ଲୀ : ସିରିଆରେ ଗୃହଯୁଦ୍ଧ ଶେଷ ହୋଇନଥିବାବେଳେ ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର କଳାବାଦଲ ଘନେଇବାରେ ଲାଗିଛି । ଇରାନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଆମେରିକା କାତାରଠାରେ ଥିବା ନିଜର ସାମରିକ ଘାଟିକୁ ଯୁଦ୍ଧ ଜାହାଜ ପ୍ରେରଣ କରିଛି । ଗତ କାଲି ଆମେରିକା ଏ ଅଞ୍ଚଳରେ ବିପଦ ମାତ୍ରାକୁ ବଢେଇଦେଇଥିବାବେଳେ ନିଜର ନାଗରିକଙ୍କୁ ଏହି ଅଞ୍ଚଳ ଛାଡିବାକୁ କହିଛି ।

ଆଜି ଆଉ ଏକ ନିଷ୍ପତ୍ତି ନେଇ ଓ୍ଵାସିଂଟନ ଇରାନର ପଡୋଶୀ ଇରାକରେ ଥିବା ଆମେରିକୀୟ ଦୂତାବାସର ଅଳ୍ପ କିଛି ଜରୁରୀ କର୍ମଚାରୀଙ୍କ ଛାଡି ଅନ୍ୟ ସମସ୍ତଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶ ଜାରି କରିଛି । କିଛିଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା ଆଶଙ୍କା ପ୍ରକାଶ କରିଥିଲା ଯେ ଇରାକରେ ଥିବା ଆମେରିକାର ସୈନ୍ୟ ଶିବିର ଓ ଦୂତାବାସ ଉପରେ ଇରାନର ସେନା ରକେଟ ମାଡ କରିପାରେ । ଏହାକୁ ଦୃଷ୍ଟିରେ ରଖି ଆମେରିକା ଏହି ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ଏହି ଅଞ୍ଚଳକୁ ଅଧିକ ଆମେରିକୀୟ ସେନା ପଠାଇବାକୁ ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର