ହଟିଲା ଯୁଦ୍ଧର ବାଦଲ, ନରମିଲା ଉତ୍ତର କୋରିଆ:-ପରମାଣୁ ପରୀକ୍ଷଣ ବନ୍ଦ ପାଇଁ ରାଜି

ଆମେରିକା ସହ ‘ମନ ଖୋଲା’ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ସିଓଲ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତର ଖୁବ୍‌ଶୀଘ୍ର ଅବସାନ ଘଟିବ ବୋଲି ସଙ୍କେତ ମିିଳିଛି। ଏହା ସହ ଦକ୍ଷିଣ କୋରିଆ ସହ ସ୍ଥାୟୀ ଶାନ୍ତି ସ୍ଥାପନ ନିମନ୍ତେ ଆସନ୍ତା ମାସରେ ଦୁଇ କୋରିଆ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ। ଆମେରିକା ସହ ଶାନ୍ତି କଥାବାର୍ତ୍ତା ପାଇଁ ଉତ୍ତର କୋରିଆ ରାଜି ହୋଇଥିବା ବେଳେ ସୁରକ୍ଷା ଗ୍ୟାରେଣ୍ଟି ମିଳିଲେ ଉତ୍ତର କୋରିଆ ପରମାଣୁ ପରୀକ୍ଷଣ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରିବ ବୋଲି ଆଜି ଦକ୍ଷିଣ କୋରିଆ ଜାତୀୟ ସୁରକ୍ଷା ନିର୍ଦ୍ଦେଶକ କହିଛନ୍ତି। ଏ ବାବଦରେ ଉତ୍ତର କୋରିଆ ଦକ୍ଷିଣକୁ ସଂପୂର୍ଣ୍ଣ ଆଶ୍ୱସ୍ତ କରିଛି ଏବଂ ଏ ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ ପାଇଁ ତୟାର ମଧ୍ୟ ରହିଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆ ଜାତୀୟ ସୁରକ୍ଷା ନିର୍ଦ୍ଦେଶକ କହିଛନ୍ତି ଯେ ଉତ୍ତର କୋରିଆ କୌଣସି ପାରମ୍ପରିକ କିମ୍ବା ପରମାଣୁ ଅସ୍ତ୍ର ବ୍ୟବହାର ନକରିବା ପାଇଁ ଆଶ୍ୱସ୍ତ କରି ଏବଂ ଏହାର ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଶାନ୍ତି ଆଲୋଚନାକୁ ଆଗକୁ ବଢ଼ାଇବାକୁ ଚାହୁଛନ୍ତି।
କୋରିଆ ଉପଦ୍ୱୀପରେ ଶାନ୍ତି ଓ ସୌହାର୍ଯ୍ୟ ଫେରାଇ ଆଣିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଥିବାରୁ ଏବେ ଯୁଦ୍ଧର ବାଦଲ ହଟିଯାଇଛି। ଆମେରିକା ସହ ମନଖୋଲା କଥାବାର୍ତ୍ତା ପାଇଁ ଉତ୍ତର କୋରିଆ ତୟାର ରହିଛି ବୋଲି ଦକ୍ଷିଣ କୋରିଆ କହିଛି। ଆମେରିକା ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏବେ କ୍ଷେତ୍ର ପ୍ରସ୍ତୁତ ହୋଇଥିବାରୁ ଏହା ବିଶ୍ୱ ଶାନ୍ତି ଦିଗରେ ଏକ ବଡ଼ ପଦଦକ୍ଷେପ ହେବ ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କହିଛନ୍ତି। ଉତ୍ତର କୋରିଆ ସହ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସଙ୍କେତ ଦେବାପରେ ଦକ୍ଷିଣ କୋରିଆ ତାର ପ୍ରତିନିଧି ଦଳକୁ ଗତକାଲି ପୋଙ୍ଗ୍‌ୟାଙ୍ଗ୍‌ ପଠାଇଥିଲା।

ଆମେରିକା ସହ କଥାବାର୍ତ୍ତା ଆରମ୍ଭ ପୂର୍ବରୁ ଉତ୍ତର କୋରିଆ ନିଜର ସୁରକ୍ଷା ବାବଦରେ ଯେଉଁ ସର୍ତ୍ତ ରଖିଥିଲା ତାହାକୁ ଦକ୍ଷିଣ କୋରିଆ ପରୋକ୍ଷରେ ସମର୍ଥନ କରୁଥିବାରୁ ଆମେରିକା ମଧ୍ୟ ନିଜ ଆଭିମୁଖ୍ୟ ବଦଳାଇବ ବୋଲି ଆଲୋଚନା ହେଉଛି । ଆମେରିକା ଏବଂ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ ସଂପୂର୍ଣ୍ଣ ବନ୍ଦ କରିବା ଏବଂ ଉତ୍ତର କୋରିଆର ନିରାପତ୍ତା ନେଇ କୌଣସି ବିପଦ ସୃଷ୍ଟି ନକରିବାକୁ ଉତ୍ତର କୋରିଆ ସର୍ତ୍ତ ରଖିଛି । ଆସନ୍ତା ମାସରେ ଆମେରିକା ଓ ଦକ୍ଷିଣ କୋରିଆ ବଡ଼ ଧରଣର ସମରାଭ୍ୟାସ ପାଇଁ ଯୋଜନା କରିଥିବା ବେଳେ ଉତ୍ତର କୋରିଆର ଏଭଳି ସର୍ତ୍ତ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଉତ୍ତରକୋରିଆର ବର୍ଦ୍ଧିତ ଆଣବିକ କାର୍ଯ୍ୟକ୍ରମକୁ ବିରୋଧ କରି ଆମେରିକା ଯେଉଁ କଠୋର କଟକଣା ଲଗାଇଛି ତାହାକୁ କୋହଳ କରିବା ନିମନ୍ତେ ମଧ୍ୟ ଖୁବ୍‌୍‌ଶୀଘ୍ର ପଦକ୍ଷେପ ଆରମ୍ଭ ହେବ ବୋଲି କୋରିଆ ବ୍ୟାପାର ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର