ବିଜେପି ପାଇଁ ସତର୍କ ଘଣ୍ଟି: ଭୋଟ୍‌ ପ୍ରତିଶତ କମିଛି

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ଉପନିର୍ବାଚନର ବଡ଼ ଝଟ୍‌୍‌କା ନେଇ ଏବେ ବିଜେପିରେ ଚିନ୍ତନ ଆରମ୍ଭ ହୋଇଯାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କେତେକ ବିଧାୟକ ଖୋଲା ଅସନ୍ତୋଷ ଜାହିର କରିଥିବା ବେଳେ ଏଠାରେ ସରକାରଙ୍କ ବିରୋଧରେ ଜନମତ ଦଳ ପାଇଁ ସତର୍କ ଘଣ୍ଟି ହୋଇଛି । ୪ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନର ଉପନିର୍ବାଚନରେ ବିଜେପି କେବଳ ୨ଟି ଆସନରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି। ଗୋଟିଏ ପଟେ ଏହି ନିର୍ବାଚନ ପରିଣାମ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ଏକ ମହାମେଣ୍ଟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ଏବଂ ବିଜେପିକୁ ଆଗାମୀ ଦିନରେ ତା’ର ରଣନୀତିରେ ପରିବର୍ତ୍ତନ ଆଣିବାକୁ ଏକପ୍ରକାର ବାଧ୍ୟ କରିବ ବୋଲି କୁହାଯାଉଛି। ୟୁପିର କୈରାନା ବିଜେପି ଗଡ଼ ହୋଇଥିବା ସତ୍ତ୍ୱେ ଏଠାରେ ବିରୋଧୀ କ୍ଷମତା ଦଖଲ କରିବାରେ ସଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉପ ନିର୍ବାଚନରେ ବିଜେପିର କେବଳ ଆସନ ଯାଇନାହିଁ ବରଂ ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇଛି।

୨୦୧୪ରେ କୈରାନାରେ ବିଜେପି ସପକ୍ଷରେ ୫୦.୬ ପ୍ରତିଶତ ଭୋଟ ମିଳିଥିବା ବେଳେ, ଗତ ଉପ ନିର୍ବାଚନରେ ୪୬.୫ ପ୍ରତିଶତ ଭୋଟ ମିଳିଛି। ସେହିଭଳି ମହାରାଷ୍ଟ୍ରର ପାଲଘରରେ ବିଜେପି ଯଦିଓ ବିଜୟଲାଭ କରିଛି, କିନ୍ତୁ ଏଠାରେ ମଧ୍ୟ ପୂର୍ବ ନିର୍ବାଚନ ଅପେକ୍ଷା ଭୋଟ ପ୍ରତିଶତ ହ୍ରାସ ପାଇଛି। ଉପ ନିର୍ବାଚନରେ ପ୍ରାୟ ସମସ୍ତ ସ୍ଥାନରେ ବିଜେପିର ଭୋଟ ପ୍ରତିଶତ କମିଥିବା ଜଣାପଡ଼ିଛି। ତେବେ ୨୦୧୪ ପରଠାରୁ ବିଜେପିର ଜନ ସମର୍ଥନ ହ୍ରାସ ପାଉଥିବା ଏଥିରୁ ପ୍ରମାଣିତ ହୋଇଯାଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। କେବଳ ଏତିକ ନୁହେଁ ବରଂ ୨୦୧୪ ପରବର୍ତ୍ତୀ ଲୋକସଭା ଉପ ନିର୍ବାଚନ ଗୁଡ଼ିକୁ ଦେଖିବାକୁ ଗଲେ ମୋଟ ୨୭ଟି ଆସନରୁ ବିଜେପି ମାତ୍ର ୫ଟି ଆସନରେ ନିଜର ସ୍ଥିତି ରକ୍ଷା କରିବାରେ ସମର୍ଥ ହୋଇଛି। ପଶ୍ଚିମବଙ୍ଗରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିବା ଦଳ ପାଇଁ ଏକମାତ୍ର ଆଶ୍ୱସ୍ତିର କାରଣ ହୋଇଛି ।

ସମ୍ବନ୍ଧିତ ଖବର