ଦକ୍ଷିଣ ଭାରତରେ ଉତ୍କଟ ଜଳ କଷ୍ଟ

ନୂଆଦିଲ୍ଲୀ : ଦକ୍ଷିଣ ଭାରତର ୫ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧପ୍ରଦେଶ ଏବଂ ତେଲେଙ୍ଗାନାରେ ଏବେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। କେରଳ ଏବଂ ତାମିଲନାଡ଼ୁରେ ଅଭୂତପୂର୍ବ ମରୁଡ଼ି ସମସ୍ୟା ଦେଖାଦେଇଥିବାବେଳେ କର୍ଣ୍ଣାଟକର ଉତ୍ତରାଞ୍ଚଳ ଜିଲ୍ଲା ଗୁଡ଼ିକରେ ଲଗାତାର ତୃତୀୟ ବର୍ଷ ପାଇଁ ଭୟଙ୍କର ଜଳ ସମସ୍ୟା ଦେଖାଦେଇଛି। ଜଳାଭାବଜନିତ ସମସ୍ୟା ଯୋଗୁଁ ଚାଷୀମାନେ ମଧ୍ୟ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଜଳକଷ୍ଟ ଭୋଗୁଥିବା ତେଲେଙ୍ଗାନା ମଧ୍ୟ ଏବେ କ୍ରୀଷ୍ଣା ଏବଂ ଗୋଦାବରୀ ନଦୀ ଜଳ ବଣ୍ଟନକୁ ନେଇ ଲଢ଼େଇ ଜାରି ରଖିଛି। ତାମିଲନାଡ଼ୁରେ ଉତ୍ତର ପୂର୍ବ ମୌସୁମି ରାଜ୍ୟପାଇଁ ଜଳର ମୁଖ୍ୟ ଉତ୍ସ ହୋଇଥିବା ବେଳେ ଗତବର୍ଷ ୬୨ ପ୍ରତିଶତ କମ୍‌ ବର୍ଷା ଯୋଗୁଁ ସମସ୍ୟା ଜଟିଳ ହୋଇଥଲା। ୨୦୧୬ ମରୁଡ଼ି ସମସ୍ୟାରୁ କୌଣସି ପ୍ରକାରେ ମୁକ୍ତି ମିଳିଯାଇଥିଲେ ମଧ୍ୟ ଚଳିତ ବର୍ଷ ଏଥିରୁ ତ୍ରାହି ମିଳିବନି ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବାବେଳେ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ ଆସନ୍ତା ମାସ ଗୁଡ଼ିକରେ ତାପମାତ୍ରା ୫୦ ଡିଗ୍ରିକୁ ବୃଦ୍ଧି ପାଇବ ଯାହାଦ୍ୱାରା ରାଜ୍ୟରେ ଅସମ୍ଭାଳ ସ୍ଥିତି ଦେଖାଦେବ। କାବେରୀ ଜଳ ଉପରେ ଭରସା ଥିଲେ ମଧ୍ୟ ଏହା କେବଳ ଚେନ୍ନାଇକୁ ନିଅଣ୍ଟ। ଅନ୍ୟପକ୍ଷରେ ରାଜ୍ୟରେ ଥିବା ଜଳାଶୟଗୁଡ଼ିକର ସମୁଦାୟ କ୍ଷମତାରୁ ମାତ୍ର ୫ ପ୍ରତିଶତ ଜଳ ରହିଛି। ରାଜ୍ୟରେ ଏବେ ଭୂତଳ ଜଳର ଭୟଙ୍କର ଅଭାବ ଦେଖାଦେଇଛି।
‘ଭଗବାନଙ୍କ ନିଜ ଦେଶ’ କୁହାଯାଉଥିବା କେରଳରେ ମଧ୍ୟ ଜଳ କଷ୍ଟ କମ୍‌ ନାହିଁ। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମି ବର୍ଷା ଗତବର୍ଷ ୩୩.୭ ପ୍ରତିଶତ କମିବା ଏବଂ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେଉଥିବା ଉତ୍ତରପୂର୍ବ ମୌସୁମି ବର୍ଷା ୬୧ ପ୍ରତିଶତ କମିଥିବାରୁ ରାଜ୍ୟବାସୀ ଏବେ ଜଳପାଇଁ ଛଟପଟ ହେଉଛନ୍ତି। ତେବେ କେରଳ ବହୁଳ ଭାବେ ଜଳ ବିଦ୍ୟୁତ ଉପରେ ନିର୍ଭରଶୀଳ ହୋଇଥିବାରୁ ଏବେ ଜଳାଭାବ ଯୋଗୁଁ ବିଦ୍ୟୁତ୍‌ ସରବରାହରେ ମଧ୍ୟ ସମସ୍ୟା ଉପୁଜିଛି। ସେହିପରି କର୍ଣ୍ଣାଟକ ପାଇଁ ଚଳିତବର୍ଷ ଜଳକଷ୍ଟ ଅତୀବ କଷ୍ଟଦାୟକ ହେବ। କାବେରୀ ଅବବାହିକାରେ ଜଳ ଶୁଖି ଯାଉଥିବାରୁ ରାଜ୍ୟରେ ଯଦି ଲଗାତାର ଚତୁର୍ଥ ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମି ବର୍ଷା ଠିକ୍‌ ନହୁଏ ତେବେ ସଙ୍କଟ ବଢ଼ିଯିବ। ଜଳସଙ୍କଟ ହେତୁ ହଜାର ହଜାର ଲୋକ ଏବେ ଭିଟାମାଟି ଛାଡ଼ି ସହରାଭିମୁଖୀ ହେଉଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ ସମାନ ଅବସ୍ଥା। ଆନ୍ଧ୍ରପ୍ରଦେଶରେ ଗତବର୍ଷ ୨୩ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ରାଜ୍ୟରେ ଭୂତଳ ଜଳ ସ୍ତର ୧୪.୩୪ ମିଟରକୁ ଖସି ଯାଇଛି। ଆନ୍ଧ୍ରପ୍ରଦେଶ କେନ୍ଦ୍ର ସରକାରଙ୍କଠାରୁ ୨,୮୧୬ କୋଟି ଟଙ୍କାର ମରୁଡ଼ି ରିଲିଫ୍‌ ପ୍ୟାକେଜ୍‌ ପାଇଛି।

ସମ୍ବନ୍ଧିତ ଖବର