କେପ୍‌ ଟାଉନ୍‌ରେ ପାଣି ପାଇଁ ହାହାକାର

ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି

କେପ୍‌ ଟାଉନ୍‌: ଜଳର ଅପଚୟ ଯେ ମନୁଷ୍ୟ ସମାଜକୁ ଭୟଙ୍କର ସ୍ଥିତରେ ପକାଇ ଦେଇଥାଏ, ତାହାର ଜ୍ୱଳନ୍ତ ଉଦାହରଣ ଦକ୍ଷିଣ ଆଫ୍ରିକାର ପ୍ରମୁଖ ବନ୍ଦର ସହର କେପ୍‌ ଟାଉନ୍‌ରେ ଦେଖିବାକୁ ମିଳିଛି। ଏଠାରେ ସୃଷ୍ଟି ହୋଇଥିବା ଉତ୍କଟ ଜଳ ସଙ୍କଟ ଏବେ ସାରା ବିଶ୍ୱ ପାଇଁ ଏକ ଚେତାବନୀ ପାଲଟି ଯାଇଛି। ଜଳାଭାବର ମାତ୍ରା ଏତେ ଅଧିକ ଯେ, ସେନା ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ଡିଲରଠାରୁ ଦୈନିକ ମାତ୍ର ୨ ଲିଟର ପାଣି ମିଳୁଛି। ସାଧାରଣରେ ଦେଖିବାକୁ ଗଲେ ଭାରତ ପରି ଦେଶରେ ଆମେ ଦୈନିକ ହାରାହାରି ୭୦ ଲିଟର ଜଳ ବ୍ୟବହାର କରୁଥିବା ବେଳେ ମାତ୍ର ୨ଲିଟର ଜଳରେ ଗୋଟିଏ ଦିନ ବିତାଇବା କେତେ ଯେ କଷ୍ଟସାଧ୍ୟ ତାହା କେବଳ ଅନୁଭବୀ ହିଁ କହି ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ଦ୍ୱିତୀୟ ବୃହତ୍ତମ ସହର କେପ୍‌ ଟାଉନ୍‌ରେ ଲୋକଙ୍କ ହାରାହାରି ଜଳ ବ୍ୟବହାରର ମାତ୍ରା ହେଉଛି ୫୦ ଲିଟର। ମାତ୍ର ଜଳ ସମସ୍ୟା ଏତେ ଭୟଙ୍କର ହୋଇଗଲାଣି ଯେ, ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଜଣେ ବ୍ୟକ୍ତି ଦୈନିକ ମାତ୍ର ୨ ଲିଟରରୁ ଅଧିକ ଜଳ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି। ଫଳସ୍ୱରୂପ ମିଳୁଥିବା ଜଳ ଲୋକଙ୍କର ଦାନ୍ତ ଘସିବା ଓ ମୁହିଁ ଧୋଇବାକୁ ବି ନିଅଣ୍ଟ ହୋଇଯାଉଛି। ଗତ ଗ୍ରୀଷ୍ମ ଋତୁରେ ସହରରେ ଦେଖା ଦେଇଥିବା ଏହି ସମସ୍ୟା ଏବେ ତୀବ୍ରରୂପ ଧାରଣ କରିଛି। ଜଳର ବ୍ୟବହାର ସଙ୍କୁଚିତ ହେବା କାରଣରୁ ଅନେକ ପ୍ରକାର ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଭଲ ଭାବରେ ହାତ, ମୁହଁ ନ ଧୋଇ ଲୋକେ ରହୁଥିବାରୁ ଡାଇରିଆ, କଲେରା, ଟାଇଫଏଡ଼୍‍ ,ହେପାଟାଇଟିସ୍‌ ପରି ରୋଗର ମାତ୍ରା ବୃଦ୍ଧି ପାଇଛି। ଗତବର୍ଷ ଜଳ ସଙ୍କଟ ଦେଖା ଦେବା ପରଠାରୁ ଏଯାବତ୍‌ ଅନ୍ୟୁନ୍‌ ୮୨୦ଜଣ ଏହି ପ୍ରଦେଶରେ ସଂକ୍ରାମକ ରୋଗର ଶିକାର ହୋଇଥିବା ବେଳେ ୯୦ରୁ ଉର୍ଦ୍ଧ୍ୱଙ୍କର ମୃତ୍ୟୁ ହୋଇସାରିଲାଣି। ଯଦି ଶୀତ ଋତୁରେ ଦେଶରେ ଜଳ ସମସ୍ୟା ଏତେ ଭୟଙ୍କର ତେବେ ଆଗାମୀ ଗ୍ରାଷ୍ମଋତୁ ବେଳକୁ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।

କେପ୍‌ ଟାଉନର ଏହି ଉତ୍କଟ ସମସ୍ୟା ପାଇଁ କେବଳ ହିଁ ଜନସଂଖ୍ୟା ବୃଦ୍ଧି ଦାୟୀ ବୋଲି କୁହାଯାଉଛି। ୧୯୯୫ ମସିହା ଯାଏଁ ଏଠାକାର ଜନସଂଖ୍ୟା ୨୩ ଲକ୍ଷ ଥିବା ବେଳେ ୨୦୧୫ ସୁଦ୍ଧା ଏହା ବୃଦ୍ଧି ପାଇଁ ୪୪ ଲକ୍ଷରେ ପହଞ୍ଚିଛି। ସହରୀକରଣର ମାତ୍ରା ମଧ୍ୟ ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଛି। ଜଳର ଚାହିଦା ମେଣ୍ଟାଇବା ପାଇଁ ଗଚ୍ଛିତ ଜଳର ବ୍ୟବହାର ହିଁ କରାଯାଉଛି। କେପ୍‌ ଟାଉନ୍‌ର ଜଳ ଯୋଗାଣ ପାଇଁ ଥିବା ସର୍ବବୃହତ୍‌ ଡ୍ୟାମ୍‌ର ଜଳସ୍ତର ଏବେ ତଳକୁ ତଳକୁ ଗତି କରୁଛି। ଗତବର୍ଷ ସେହି ଡ୍ୟାମ୍‌ର ଜଳସ୍ତର ପ୍ରକୃତ ଜଳଧାରଣା କ୍ଷମତାର ୪୬.୫ ପ୍ରତିଶତ ଥିବା ବେଳେ ଗତ ସପ୍ତାହରେ ଏହା ୨୪.୫ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଏହି ଡ୍ୟାମ୍‌ର ଜଳସ୍ତର ୨୩.୭ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏହି ଆଧାରରେ ଦେଖିବାକୁ ଗଲେ ଆଗାମୀ ମେ-ଜୁନ୍‌ ମାସ ବେଳକୁ ଏହାର ଜଳସ୍ତର ସମ୍ପୂର୍ଣ୍ଣ ଶୂନ ହୋଇଯାଇଥିବ। ଆଉ ଏକ ବଡ଼ ବିପଦ ହେଲା ଏଠାକାର ପାଣିପାଗ ଉପରେ ମଧ୍ୟ କୌଣସି ପ୍ରକାର ଭରସା ନାହିଁ। ବର୍ଷା ଋତୁରେ ଠିକ୍‌ ଭାବେ ବର୍ଷା ହେଉନଥିବାରୁ ଆବଶ୍ୟକ ଜଳ ମଧ୍ୟ ମିଳିପାରୁ ନାହିଁ। ସହରର ଏଭଳି ଅବସ୍ଥା ଦେଖି ପର୍ଯ୍ୟଟକଙ୍କ ଆଗମନରେ ଯଥେଷ୍ଟ ହ୍ରାସ ଘଟିଛି। ଏଠାରେ ଜଳ ଦର ପେଟ୍ରୋଲ ଦର ଠାରୁ ମଧ୍ୟ ଅଧିକ ରହିଛି। ବର୍ତ୍ତମାନ ଏହି ସହରରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍‌ ଚାଲୁଥିବା ବେଳେ ଖେଳାଳୀଙ୍କ ଜଳ ବ୍ୟବହାରରେ ମଧ୍ୟ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର