ହଷ୍ଟନ୍‌ରେ ‘ହାଓଡି ମୋଦୀ’ ଶକ୍ତି ପ୍ରଦର୍ଶନ, ଭାରତୀୟଙ୍କ ପାଇଁ ଆମେ ଗର୍ବିତ: ଟ୍ରମ୍ପ୍‌

ହ୍ବାଇଟ୍‌ ହାଉସ୍‌ରେ ଭାରତର ପ୍ରକୃତ ବନ୍ଧୁ ଟ୍ରମ୍ପ୍‌: ମୋଦୀ

ହଷ୍ଟନ: ଆମେରିକାର ହଷ୍ଟନ ସହରରେ ଆଜି ଅନୁଷ୍ଠିତ ଐତିହାସିକ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭୂତପୂର୍ବ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏନ୍‌ଆର୍‌ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ଅନେକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ବିଦେଶର କୌଣସି ନିର୍ବାଚିତ ରାଜନେତାଙ୍କ ପକ୍ଷରୁ ଆମେରିକା ମାଟିରେ‌ ଏଭଳି ଶକ୍ତି ପ୍ରଦର୍ଶନ କେବେ ଦେଖିବାକୁ ମିଳିନଥିଲା। ଭାରତରେ ‘ବିଭିନ୍ନତା ମଧ୍ୟରେ ଏକତା’ କେମିତି ଅକ୍ଷୁଣ୍ଣ ରହିଛି ତାହା ‌ମୋଦୀ ଏହି ଅବସରରେ ଦେଖାଇ ଦେଇଥିଲେ। ସେ କହିଲେ ଯେ ‘ବିଭିନ୍ନତା ମଧ୍ୟରେ ଏକତା’ ହେଉଛି ଆମର ଶକ୍ତି ଏବଂ ପ୍ରେରଣା। ଶକ୍ତିଶାଳୀ ଗଣତନ୍ତ୍ରର ଏହା ହେଉଛି ପ୍ରମାଣ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କ ଭାଗିଦାରି ଏବେ ଭାରତର ସବୁଠାରୁ ବଡ଼ ନୀତି ଏବଂ ନୂଆ ଭାରତ ସରକାରଙ୍କ ସବୁଠାରୁ ବଡ଼ ସଂକଳ୍ପ ହୋଇଛି। ଭାରତ ଏବେ ଦ୍ରୃତ ଗତିରେ ‘ନ୍ୟୁ ଇଣ୍ଡିଆ’ ସ୍ବପ୍ନକୁ ପୂରଣ କରିବାରେ ଲାଗିଛି। ଭାରତରେ ଏବେ ‘ବିକାଶ’ ସବୁଠାରୁ ବଡ଼ ଶବ୍ଦ ହୋଇଛି ଏବଂ ଆମେ ପ୍ରତି କ୍ଷେତ୍ରରେ ନିଜେ ନିଜକୁ ଚ୍ୟାଲେଂଜ କରୁଛୁ। ଭାରତ ଏବେ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚାହୁଛି। ପାଞ୍ଚ ବର୍ଷରେ ୧୧ କୋଟି ଶୌଚାଳୟ ନିର୍ମାଣ ହୋଇଛି ଏବଂ ୧୦୦ ପ୍ରତିଶତ ପରିବାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛନ୍ତି। ଗ୍ରାମୀଣ ବିକାଶ କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି। ଦୁର୍ନୀତିକୁ ଶେଷ କରିବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି। ସାଢ଼େ ୩ ଲକ୍ଷ ନକଲି କମ୍ପାନି ବନ୍ଦ ହୋଇଛି ବୋଲି ମୋଦୀ କହିଥିଲେ।

ଭାରତ ଏବେ ‘ନ୍ୟୁ ଇଣ୍ଡିଆ’ ସ୍ବପ୍ନ ପୂରଣ କରୁଛି

ଧାରା ୩୭୦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଉଚ୍ଛେଦ ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ୩୭୦ ଯୋଗୁଁ ବିଚ୍ଛିନ୍ନତାବାଦୀମାନେ ଯେଉଁ ଫାଇଦା ଉଠାଉଥିଲେ ତାହାକୁ ସରକାର ଶେଷ କରିଦେଇଛନ୍ତି। ପାକିସ୍ତାନର ନାମ ନନେଇ ମୋଦୀ କହିଥିଲେ ଯେଉଁମାନେ ନିଜ ଦେଶକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ସେମାନେ ଧାରା ୩୭୦ ହଟାଯିବାକୁ ନେଇ ଉଦ୍‌ବେଗ ଦେଖାଉଛନ୍ତି। ସେମାନେ ଭାରତ ପ୍ରତି ସେମାନଙ୍କ ଘୃଣାକୁ ହିଁ ରାଜନୀତିର କେନ୍ଦ୍ର କରିବାକୁ ଚାହୁଛନ୍ତି। ସେମାନେ ଆତଙ୍କବାଦକୁ ଭାରତ ବିରୋଧରେ ପ୍ରୋତ୍ସାହନ ଦେଉଛନ୍ତି। ଆତଙ୍କବାଦକୁ ପାଳନ ପୋଷଣ କରୁଥିବା ରାଷ୍ଟ୍ର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ସମୟ ଆସିଯାଇଛି ବୋଲି ମୋଦୀ ଏହି ଅବସରରେ ଚେତାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଉଦ୍‌ବୋଧନ ‘ଗୁଡ୍‌ ମର୍ଣ୍ଣିଂ ହଷ୍ଟନ, ଗୁଡ୍‌ ମର୍ଣ୍ଣିଂ ଟେକ୍ସାସ, ଗୁଡ ମର୍ଣ୍ଣିଂ ଆମେରିକା’ କହି ଆରମ୍ଭ କରିଥିଲେ। ଟ୍ରମ୍ପ୍‌ଙ୍କୁ ‘ହାଓଡି ମୋଦୀ’ରେ ସ୍ବାଗତ କରି ମୋଦୀ କହିଥିଲେ ହ୍ବାଇଟ୍‌ ହାଉସ୍‌ରେ ଭାରତର ପ୍ରକୃତ ବନ୍ଧୁ ହେଉଛନ୍ତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ତାଙ୍କ ସହିତ ମୋର ପ୍ରତ୍ୟେକ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ସୁଦୃଢ଼ କରିଛି। ଆମେରିକାର ଅର୍ଥ ବ୍ୟବସ୍ଥାକୁ ପୁଣି ମଜବୁତ କରିବା ସହ ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ପାଇଁ ଟ୍ରମ୍ପ୍‌ଙ୍କ ପ୍ରୟାସ ଅନେକ କିଛି ହାସଲ କରିଛି। ଟ୍ରମ୍ପଙ୍କ ନେତୃତ୍ବରେ ଆମେରିକା ପୁଣି ମହାନ ହୋଇଛି ବୋଲି ମୋଦୀ କହିଥିଲେ। ଟ୍ରମ୍ପ୍‌ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ‘ଅବ୍‌କି ବାର୍‌ ଟ୍ରମ୍ପ୍‌ ସରକାର’ ସ୍ଲୋଗାନ ଦେଇ ସମସ୍ତଙ୍କ ମନ ଜିଣିଥିଲେ ବୋଲି ମୋଦୀ କହିଥିଲେ। ଏଥର ନିର୍ବାଚନରେ ମଧ୍ୟ ଟ୍ରମ୍ପ ଜିତିବେ ବୋଲି ସେ କହିଥିଲେ।

ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କ ଉଦ୍‌ବୋଧନରେ କହିଥିଲେ ଭାରତ ଏବଂ ଆମେରିକାର ସଂପର୍କ ଏବେ ଯେଭଳି ମଜବୁତ ହୋଇଛି ତାହା ପୂର୍ବରୁ କେବେ ସେମିତି ନଥିଲା। ଆମେରିକାର ସବୁଠାରୁ ଭଲ ବନ୍ଧୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ଦେଶର ଜନତା ଭଲରେ ରହିବା ହିଁ ଉଭୟଙ୍କ ଲକ୍ଷ୍ୟ ବୋଲି ଟ୍ରମ୍ପ୍‌ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ନୀତି ଯୋଗୁଁ ପ୍ରାୟ ୩୦ କୋଟି ‌ଲୋକ ଦାରିଦ୍ରୢ ସୀମାରେଖା ଉପରକୁ ଉଠିଛନ୍ତି। ଉଭୟ ରାଷ୍ଟ୍ରର ଅର୍ଥନୀତି ବେଶ୍‌ ସୁଦୃଢ଼ ହେବାକୁ ହେବାକୁ ଯାଉଛି। ଭାରତୀୟ ଆମେରିକୀୟମାନେ ପ୍ରଯୁକ୍ତି କ୍ଷେତ୍ରରେ ଏବେ ବହୁତ ଭଲ କରୁଛନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ।

ସମ୍ବନ୍ଧିତ ଖବର