ଉତ୍ତରକୋରିଆକୁ ଧ୍ୱଂସ କରିବାକୁ ଆମେ ସମର୍ଥ

ଦ.କୋରିଆ ସେନାର ଦୃଢ଼ୋକ୍ତି

ସିଓଲ: ଉତ୍ତର କୋରିଆ ପକ୍ଷରୁ ବାରମ୍ବାର ଦିଆଯାଉଥିବା ଆକ୍ରମଣ ଧମକ ବିରୋଧରେ ଆଜି ଦକ୍ଷିଣ କୋରିଆ ସେନା ମୁହଁ ଖୋଲିଛି। ଉତ୍ତର କୋରିଆର ସମ୍ମୁଖ ଭାଗରେ ରହି ଲଢ଼େଇ କରୁଥିବା ସେନାର ଆକ୍ରମଣକୁ ପ୍ରତିହତ କରିବା ଲାଗି ସେମାନେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଦକ୍ଷିଣ କୋରିଆ ସେନା ଦୃଢ଼ୋକ୍ତି ବାଢ଼ିଛି। ଉତ୍ତର କୋରିଆର ସମସ୍ତ କ୍ଷେପଣାସ୍ତ୍ର ଶକ୍ତିକୁ ନଷ୍ଟ କରିବାର ସାମର୍ଥ୍ୟ ଦକ୍ଷିଣ କୋରିଆର ରହିଛି ଏବଂ ଯୁଦ୍ଧସ୍ଥିତିରେ ଏହାହିଁ ଘଟିବ ବୋଲି ଦକ୍ଷିଣ କୋରିଆ କହିଛି।
ଦକ୍ଷିଣ କୋରିଆ ସେନାର ଏହି ମନ୍ତବ୍ୟ ରାଜଧାନୀ ସିଓଲବାସୀଙ୍କୁ ଆଶ୍ୱସ୍ତ କରିଛି। କାରଣ ଉତ୍ତର କୋରିଆର ସୀମାଠାରୁ ମାତ୍ର ୩୫ ମାଇଲ ଦୂରରେ ସିଓଲ ଅବସ୍ଥିତ। ସିଓଲକୁ ଅଗ୍ନି ସାଗରରେ ପରିଣତ କରିଦେବ ବୋଲି ପୂର୍ବରୁ ଉତ୍ତର କୋରିଆ ଧମକ ଦେଇଛି। ଯୁଦ୍ଧ ହେଲେ ଉତ୍ତର କୋରିଆ ପକ୍ଷରୁ ଗଣବିଧ୍ୱଂସୀ କ୍ଷେପଣାସ୍ତ୍ର ପ୍ରୟୋଗ କରା ନଗଲେ ମଧ୍ୟ ଦକ୍ଷିଣ କୋରିଆରେ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ରହିବ। କାରଣ ଉତ୍ତର କୋରିଆର ସେନା ସୀମାରେ ବହୁମାତ୍ରାରେ ଗୁଳିଗୋଳା ଦକ୍ଷିଣ କୋରିଆ ଆଡ଼କୁ ମୁହଁକରି ରଖିଛି। ଏପରିକି ଯୁଦ୍ଧ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ଖବରସରବରାହ ସଂସ୍ଥା ୟୋନହାପ୍‌ର କହିଛି, ଉତ୍ତର କୋରିଆ ପକ୍ଷରୁ ଆକ୍ରମଣ ଆରମ୍ଭ ହେଲେ ଦକ୍ଷିଣ କୋରିଆ ପକ୍ଷରୁ କି ପ୍ରକାର ପଦକ୍ଷେପ ନେବାର ବ୍ୟବସ୍ଥା ହୋଇଛି ସେ ସମ୍ପର୍କିତ ତଥ୍ୟ ସେନା ପକ୍ଷରୁ ଦକ୍ଷିଣ କୋରିଆର ନ୍ୟାସନାଲ ଆସେମ୍ବ୍ଲିରେ ଉପସ୍ଥାପିତ କରାଯାଇଛି। ସେନା ପକ୍ଷରୁ ୩ ଥାକିଆ କ୍ଷେପଣାସ୍ତ୍ର ଆକ୍ରମଣର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର