ଦାବି କେମିତି ପୂରଣ କରାଇବାକୁ ହୁଏ ଆମେ ଜାଣୁ: ଆନ୍ଧ୍ର ଲାଗି ସ୍ୱତନ୍ତ୍ର ପାହ୍ୟା ଦାବି କରି ଦିଲ୍ଲୀରେ ଅନଶନରେ ବସି କେନ୍ଦ୍ରକୁ ଧମକ ଦେଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଯଦି ମୋଦି ସରକାର ସେମାନଙ୍କ ଦାବି ପୂରଣ ନ କରିବେ, ଦାବି କେମିତି ପୂରଣ କରାଇବାକୁ ହୁଏ ସେମାନେ ଜାଣନ୍ତି ବୋଲି ସୋମବାର ଦିନ କେନ୍ଦ୍ରକୁ ଧମକ ଦେଇ କହିଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ରାଜ୍ୟ ଲାଗି ସ୍ୱତନ୍ତ୍ର  ପାହ୍ୟା ଦାବି କରି ସୋମବାର ଦିନ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ଭବନ ଠାରେ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଅନଶନସ୍ଥଳରେ ପହଞ୍ଚି ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦେବା ଲାଗି ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଇଥିବା ଅଭିଯୋଗ କରିବା ସହ ଆନ୍ଧ୍ରବାସୀଙ୍କ ଏହି ଲଢ଼େଇରେ ସେ ସେମାନଙ୍କ ସାଥୀରେ ଅଛନ୍ତି ବୋଲି କହିଛନ୍ତି।

ନାଇଡୁ ଆହୁରି କହିଛନ୍ତି ଯେ ଏବେ ପ୍ରସଙ୍ଗ ଆନ୍ଧ୍ର ପ୍ରଦେଶର ଲୋକମାନଙ୍କ ଆତ୍ମସମ୍ମାନ ପାଲଟି ଯାଇଛି। ବ୍ୟକ୍ତିଗତ ଆକ୍ଷେପ ବନ୍ଦ କରିବାକୁ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେତାଇ ଦେଇଛନ୍ତି।

ତାଙ୍କ ଭାଷାରେ: ଯଦି ଆପଣ ଆମ ଦାବି ପୂରଣ ନ କରନ୍ତି, ତାହା କେମିତି ପୂରଣ କରାଇ ହେବ, ଆମେ ସେ କଥା ଜାଣୁ। ଏଇଟା ଆନ୍ଧ୍ରବାସୀଙ୍କ ସ୍ୱାଭିମାନର କଥା, ଆମେ ଅବଜ୍ଞା ସହି ପାରିବୁ ନାହିଁ। ବ୍ୟକ୍ତିଗତ ଆକ୍ଷେପ ନ କରିବାକୁ ମୁଁ ଏ ସରକାର, ବିଶେଷଭାବେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାଇ ଦେଉଛି।

ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତକୁ ସମାଲୋଚନା କରି ନାଇଡୁ କହିଲେ, ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଆମେ ଏତେ ବାଟ ଆସିଲୁ। ଧାରଣାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଗସ୍ତ କରିଥିଲେ। ମୁଁ ପଚାରୁଛି, ଯିବା କ’ଣ ଦରକାର ଥିଲା?

 

ସମ୍ବନ୍ଧିତ ଖବର