ନିର୍ମାତା ଭଂସାଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆମେ ପ୍ରଥମେ ‘ପଦ୍ମାବତ୍‌’ ଦେଖିବୁ: ରାଜସ୍ଥାନ ହାଇକୋର୍ଟ

ଜୟପୁର: ରାଜ୍ୟରେ ସଂଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚଳଚ୍ଚିତ୍ରଟିକୁ କୋର୍ଟରେ ପ୍ରଦର୍ଶନ କରାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

ନିର୍ମାତା ଭଂସାଲୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ଭଂସାଲୀ ଦାୟର କରିଥିବା ଜାଚିକାର ଶୁଣାଣି କରିବା ନେଇ ଅଦାଲତ ଏହି ଘୋଷଣା କରିଛନ୍ତି। ଏହି ମାମଲାର ଶୁଣାଣି ଜାନୁଆରି ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହି ମାମଲାରେ ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଥିଲେ,‘ରାଜ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିପାରିବ ନାହିଁ।’

ଭଂସାଲୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌କୁ ନେଇ କଟକଣା ଜାରି କରିବାରେ ରାଜସ୍ଥାନ ପରେ ଗୁଜୁରାଟ ହେଉଛି ଦ୍ୱିତୀୟ ରାଜ୍ୟ।

ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିଆଣା ଆଦି ରାଜ୍ୟଗୁଡ଼ିକ ଚଳଚ୍ଚିତ୍ର ରିଲିଜ୍‌ ନେଇ କଟକଣା ଜାରି କରିଛନ୍ତି।

ଚଳଚ୍ଚିତ୍ରଟିକୁ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲା। ଏହି ପ୍ୟାନେଲ୍‌ରେ ଐତିହାସିକ ଏବଂ ରାଜସ୍ଥାନ ରାଜ ପରିବାର ସଦସ୍ୟଙ୍କୁ ସାମିଲ୍‌ କରାଯାଇଥିଲା। ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୫ଟି ସର୍ତ୍ତରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ। ସେହି ସର୍ତ୍ତଗୁଡ଼କ ମଧ୍ୟରେ ଥିଲା, ଚଳଚ୍ଚିତ୍ର ଆରମ୍ଭରେ ପରିଷ୍କାର ଭାବେ ଲେଖାଯିବ ଯେ ଏହା କୌଣସି ଐତିହାସିକ କାହାଣୀ ଉପରେ ଆଧାରିତ ନୁହେଁ, ଦ୍ୱିତୀୟରେ ଚଳଚ୍ଚିତ୍ରର ଶୀର୍ଷକ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ ହେବ। ତୃତୀୟରେ ଚଳଚ୍ଚିତ୍ରରେ ଥିବା ‘ଘୁମର୍‌’ଗୀତରେ ପରିବର୍ତ୍ତନ ଅଣାଯିବ ଇତ୍ୟାଦି।

ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନ୍‌, ରଣବୀର ସିଂହ ଏବଂ ସାହିଦ୍‌ କପୁର୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିବାଦର ପରିସରରେ ରହିଆସିଛି।

ସମ୍ବନ୍ଧିତ ଖବର