ଚୀନ୍‌ର ନୂଆ କାରସାଦି:ସୀମାରେ ଖୋଲିଲା ମାନବବିହୀନ ପାଣିପାଗ କେନ୍ଦ୍ର

ବେଜିଂ: କିଛିଦିନ ଚୁପ୍‌ ରହିବା ପରେ ପୁଣି ଏକ ବିବାଦୀୟ ପଦକ୍ଷେପ ନେଇଛି ଚୀନ୍‌। ଅରୁଣାଚଳ ପ୍ରଦେଶ ସୀମା ନିକଟବର୍ତ୍ତୀ ତିବ୍ଦତରେ ଚୀନ୍‌ ଏକ ନୂଆ ମାନବବିହୀନ ପାଣିପାଗ କେନ୍ଦ୍ର ସ୍ଥାପନ କରିଛି। ଏହାଦ୍ୱାରା ଚୀନ୍‌ ଏହାର ସେନାକୁ ପାଣିପାଗ ସଂକ୍ରାନ୍ତ ଆଗୁଆ ସୂଚନା ଦେବା ସହିତ ଯୁଦ୍ଧ ବେଳେ ବିମାନ ଓ କ୍ଷେପଣାସ୍ତ୍ରଗୁଡ଼ିକର ପରିଚାଳନା କ୍ଷେତ୍ରରେ ସହାୟତା କରିପାରିବ। ଅନ୍ୟପକ୍ଷରେ ଭାରତ-ଚୀନ୍‌ ସୀମାରେ ଚୀନ୍‌ ନିଜ କ୍ଷମତା ବୃଦ୍ଧି କରିପାରିବ ବୋଲି କୁହାଯାଉଛି। ସୂଚନା ମୁତାବକ ତାପମାତ୍ରା, ବାୟୁ ଚାପ, ପବନ ଗତି ଓ ଦିଗ, ଆର୍ଦ୍ରତା ଭଳି କ୍ଷେତ୍ରରେ ଏହି କେନ୍ଦ୍ର ଉପଯୁକ୍ତ ସୂଚନା ଦେଇପାରିବ।

କେନ୍ଦ୍ରର ବୈଷୟିକ ଅଧିକାରୀ ତାସି ନୋର୍ବୁଙ୍କ କହିବାନୁଯାୟୀ ତିବ୍ଦତର ୟୁମାଇ ଟାଉନ୍‌ସିପ୍‌ରେ ଏହା ସ୍ଥାପନ କରାଯାଇଛି। ଏହାଦ୍ୱାରା ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ପରିବହନ ଓ ଯୋଗାଯୋଗ ଅଧିକ ସହଜ ହୋଇପାରିବ। ଯୁଦ୍ଧ ସମୟରେ ପାଣିପାଗ ସମ୍ପର୍କରେ ଠିକ୍‌ ସୂଚନା ମିଳିବା ଦ୍ୱାରା ଯୁଦ୍ଧ ବିମାନଗୁଡ଼ିକର ପରିଚାଳନା ସହଜ ହେବ। ସେହିଭଳି ମିସାଇଲ୍‌ଗୁଡ଼ିକୁ ଠିକ୍‌ ସମୟରେ ଛଡ଼ାଯାଇ ପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତ ପାଇଁ ଏହା ଚିନ୍ତାର କାରଣ ସାଜିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର