ଜନ୍ମ ବେଳେ ୩୭୫ ଗ୍ରାମ୍‌ ଥିବା ଭାରତ ସବୁଠୁ କ୍ଷୁଦ୍ର ଛୁଆର ଓଜନ ଏବେ ୧. ୯୮୦ ଗ୍ରାମ୍‌

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଜନ୍ମ ନେଇଥିବା ସବୁଠୁ କ୍ଷୁଦ୍ର ଶିଶୁ ଯାହାର ଓଜନ ଥିଲା ମାତ୍ର ୩୭୫ ଗ୍ରାମ୍‌। ହାତର ପାପୁଲି ଆକାର ହୋଇଥିବା ଏହି ଅପରିପକ୍ୱ ଶିଶୁଟି ନିର୍ଦ୍ଧାରିତ ସମୟର ୪ ମାସ ପୂର୍ବରୁ ଜନ୍ମ ନେଇଥିଲା।

ଶ୍ରଦ୍ଧାରେ ‘ବେବି ଚେରି’ ବୋଲି କୁହାଯାଉଥିବା ଏହି କୁନି ବାଳିକାଟି କେବଳ ପିତାମାତା ନୁହଁନ୍ତି ଡାକ୍ତରଙ୍କୁ ମନରେ ବି ଉତ୍କଣ୍ଠା ଭରି ଦେଇଥିଲା।
ତା’ର ମାଆ ୨୬ ବର୍ଷୀୟ ନୀତିକା ଅଜଓ୍ଵାନିଙ୍କର ୫ ମାସ ଗର୍ଭ ଚାଲିଥାଏ। ଏହା ଥିଲା ତାଙ୍କର ୫ମ ଗର୍ଭ। ପୂର୍ବରୁ ୪ଟି ଗର୍ଭ ନଷ୍ଟ ହୋଇସାରିଥିଲା। ନୀତିକା ଏବଂ ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଁ’ର ତାଙ୍କ ୩୧ ବର୍ଷିୟ ବ୍ୟବସାୟୀ ସ୍ୱାମୀ ସୌରଭ ଆଜ୍‌ଓ୍ଵାନିଙ୍କୁ ସ୍ଥାନୀୟ ଡାକ୍ତରମାନେ କହିଥିଲେ ତାଙ୍କ ପିଲା ବଞ୍ଚିବା ଉପରେ କୌଣସି ଭରସା ନାହିଁ। କାରଣ ମା’ଠାରୁ ତା’ ଦେହକୁ ପ୍ରବାହିତ ହେଉଥିବା ରକ୍ତ ଅତି ସ୍ୱଳ୍ପ ଏବଂ ଛୁଆ ଚାରିପଟେ ତରଳ ଆମ୍‌ନିଓଟିକ୍‌ ଅତି ସ୍ୱଳ୍ପ ପରିମାଣରେ ଥିବା ଅଲ୍‌ଟ୍ରାସାଉଣ୍ଡ୍‌ରୁ ଜଣାପଡୁଛି।

ହାଇଦ୍ରାବାଦ ଯାଇ ସେଠାରେ ଭାଗ୍ୟ ପରୀକ୍ଷା କରିବାକୁ କେତେକ ସେମାନଙ୍କୁ ଉପଦେଶ ଦେଇଥିଲେ। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ସେମାନେ ସେ ଛୁଆଟିକୁ ଜନ୍ମ କରାଇଥିଲେ। ସେଦିନ ଥିଲା ଫେବ୍ରୁଆରି ୨୮ ତାରିଖ।

ଡାକ୍ତରଖାନାରେ ୧୨୮ ଦିନ ରହିଥିବା ବେବି ଚେରିକୁ ୧୦୫ ଦିନ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ୫୦୦ ଗ୍ରାମ୍‌ ହେବା ପାଇଁ ତାକୁ ଲାଗିଥିଲା ୩୮ ଦିନ।

ଡାକ୍ତରଖାନାରୁ ବାହାରିବା ପରେ ରିଦ୍ଧିମା ନଅାଁ ଦିଆଯାଇଥିବା ବେବି ଚେରିର ଓଜନ ୧. ୯୮୦ ଗ୍ରାମ୍‌। ତଥାପି ରିଦ୍ଧିମାକୁ ୨ ବର୍ଷ ଧରି ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ରଖାଯିବ।

ସମ୍ବନ୍ଧିତ ଖବର