ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି।


ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ  ଆନ୍ଦୋଳନରତ ଡାକ୍ତରମାନଙ୍କର ସମସ୍ତ ଦାବୀକୁ ମାନି ନେଇଛନ୍ତି। ପଶ୍ଚିମବଙ୍ଗ ସଚିବାଳୟ ନିକଟବର୍ତ୍ତୀ ଏକ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ମମତା ଓ ଆନ୍ଦୋଳନରତ ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀ ସହ ହୋଇଥିବା ଆଲୋଚନା କାଳରେ ଡାକ୍ତରମାନଙ୍କର ସମସ୍ତ ଦାବୀକୁ ମାନି ନେଇଥିଲେ ମୁଖ୍ୟମନ୍ତ୍ରୀ ମମତା। ଆଲୋଚନା କାଳରେ ପ୍ରତି ସରକାରୀ ହସ୍ପିଟାଲରେ ଏକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ସହ ସରକାରୀ ହସ୍ପିଟାଲମାନଙ୍କରେ କର୍ତ୍ତବ୍ୟରତ ଡାକ୍ତରମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ପ୍ରତି ସରକାରୀ ହସ୍ପିଟାଲରେ ଜଣେ ଲେଖାଁଏ ନୋଡାଲ ପୁଲିସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କୋଲକାତାର ପୁଲିସ୍‌ କମିଶନର ଅନୁଜ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଏନ୍‌ଆର୍‌ଏସ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କୁ କିଛି ରୋଗୀଙ୍କ ସଂପର୍କୀୟ ଆକ୍ରମଣ କରିବା ପରେ ପଶ୍ଚିମବଙ୍ଗରେ ଗତ ୧୧ ତାରିଖ ଠାରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗର ଡାକ୍ତରମାନଙ୍କୁ ସମର୍ଥନ ଜଣାଇ ଆଜି ସମଗ୍ର ଦେଶର ଡାକ୍ତରମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏ ପରିସ୍ଥିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଥିବା ୧୪ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲର ୨ ଜଣ କରି ପ୍ରତିନିଧିଙ୍କୁ ନେଇ ଏକ ୨୮ ଜଣିଆ ପ୍ରତିନିଧି ମଣ୍ଡଳୀକୁ ଆଲୋଚନା ପାଇଁ ଡାକିଥିଲେ। ପ୍ରଥମେ ଆନ୍ଦୋଳନରତ ଏନ୍‌ଆର୍‌ଏସ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଭାବେ ଏହି ପ୍ରସ୍ତାବରେ ରାଜି ହୋଇଥିଲେ।

ସର୍ତ୍ତ ଥିଲା ଆଜି (ସୋମବାର) ଦିନ ୩ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ମଣ୍ଡଳୀର ଆଲୋଚନା ହେବ ଏବଂ ଆଲୋଚନା କାଳରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ଓ ପୂରା ଆଲୋଚନାର ଲାଇଭ୍‌ ଟେଲିକାଷ୍ଟ ହେବ। ଏଥିପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହୋଇଥିବା ବେଳେ ପରେ ଏଥିରୁ ‘ୟୁ’ ଟର୍ଣ୍ଣ ନେଇ ଯାଇଥିଲେ। ମୁଖ୍ୟମନ୍ତ୍ରୀ ମମତା ସର୍ତ୍ତ ଭାଙ୍ଗିଥିବାରୁ ଆନ୍ଦୋଳନରତ ଡାକ୍ତରମାନେ ଆଉ ଆଲୋଚନା ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମମତା ଡାକ୍ତରଙ୍କ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କାଳରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ଓ ପୂରା ଆଲୋଚନାର ଲାଇଭ୍‌ ଟେଲିକାଷ୍ଟ ହେବବୋଲି ରାଜି ହେବା ପରେ ଆନ୍ଦୋଳନରତ ଡାକ୍ତରମାନେ ତାଙ୍କ ସହ ଆଲୋଚନା ପାଇଁ ରାଜି ହୋଇଥିଲୋ।

ସମ୍ବନ୍ଧିତ ଖବର