ଓଡ଼ିଶା ଫେଲ୍‌ ! ପଶ୍ଚିମବଙ୍ଗକୁ ମିଳିଲା ରସଗୋଲାର ଜିଆଇ ମାନ୍ୟତା

ନୂଆଦିଲ୍ଲୀ: ଶେଷରେ ରସଗୋଲାର ଭୌଗଳିକ ପରିଚିତି ବା ଜିଓଗ୍ରାଫିକାଲ୍‌ ଆଇଡେଣ୍ଟିଫିକେସନ୍‌(ଜିଆଇ)ଟ୍ୟାଗ୍‌ ମିଳିଛି ପଶ୍ଚିମବଙ୍ଗକୁ। ଏ ନେଇ ଓଡ଼ିଶାର ଦାବି ପ୍ରତ୍ୟାଖ୍ୟାତ ହୋଇଛି। ଓଡ଼ିଶାର ଗବେଷକମାନେ ରସଗୋଲାର ପ୍ରଚୀନତା ଓ ଏହାର ମୂଳଭୂମି ଓଡ଼ିଶା ବୋଲି ଦର୍ଶାଇ ପ୍ରାମାଣିକ ତଥା ତଥ୍ୟଭିତ୍ତିକ ରିପୋର୍ଟ ସରକାରଙ୍କୁ ଦେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଅବହେଳା ହେତୁ ରସଗୋଲାର ଜିଆଇ ଟ୍ୟାଗ ଓଡ଼ିଶା ହାତରୁ ଖସିଯାଇଛି। ଦୀର୍ଘ ଅଢ଼େଇ ବର୍ଷ ଧରି ରସଗୋଲାର ଉତ୍ପତ୍ତି ସ୍ଥଳ ନିର୍ଣ୍ଣୟ କରିବା ଲାଗି ଚାଲିଥିବା ବୌଦ୍ଧିକ ଲଢ଼େଇରେ ପଶ୍ଚିମବଙ୍ଗର ଜିତାପଟ ହୋଇଛି। ମଙ୍ଗଳବାର ଜିଆଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି କି ବାଂଲା ରସଗୋଲାର ଉତ୍ପତ୍ତି ସ୍ଥଳ ହେଉଛି ପଶ୍ଚିମବଙ୍ଗ। ଫଳରେ ରସଗୋଲାର ଜିଆଇ ସାର୍ଟିଫିକେଟ ପଶ୍ଚିମବଙ୍ଗକୁ ମିଳିବା ଏକ ପ୍ରକାର ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ କି ଓଡ଼ିଆ ସରକାରଙ୍କ ପକ୍ଷରୁ ରସଗୋଲାର ଜିଆଇ ଟ୍ୟାଗ୍‌ ନିମନ୍ତେ ଆବେଦନ କରାଯାଇ ନ ଥିଲା।

ଆଜି ଚେନ୍ନାଇରେ ଜିଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ପଶ୍ଚିମବଙ୍ଗ ହେଉଛି ବାଂଲା ରସଗୋଲାର ଉତ୍ପତ୍ତି ସ୍ଥଳ। ଜିଆଇ ଆଇନ୍‌ ଅନୁସାରେ କୌଣସି ପଦାର୍ଥର ମୂଳ ଏହାର ପ୍ରଚଳନର ଭୌଗଳିକ ପରିସୀମା ଓ ସାମାଜିକ ଭିତ୍ତିଭୂମି ଆଧାରରେ ନିର୍ଣ୍ଣୟ କରାଯାଇଥାଏ । ପଶ୍ଚିମବଙ୍ଗର ଆବେଦନକୁ ବିଚାରକୁ ଦେଇ ଏହା ସ୍ଥିରୀକୃତ ହୋଇଛି ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପାଟେଣ୍ଟ ଓ ଡିଜାଇନ୍ସର ଉପ ନିୟନ୍ତ୍ରକ ସଞ୍ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି କି ଏହା ଓଡ଼ିଶା ପ୍ରତି ଅନ୍ୟାୟ। ଏହି ମାମଲାରେ ଖୁସି ପ୍ରକଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜିଆଇ ଟ୍ୟାଗ୍‌ ମିଳିବା ଫଳରେ କୌଣସି ପଦାର୍ଥର ବୌଦ୍ଧିକ ସମ୍ପତ୍ତିି ଅଧିକାର ନିର୍ଣ୍ଣିତ ହୋଇଥାଏ। ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି ଅଫ୍‌ ଇଣ୍ଡିଆ ଏହା ନିର୍ଦ୍ଧାରଣ କରିଥାନ୍ତି। ୨୦୧୫ ମସିହାରୁ ରସଗୋଲାର ଜିଆଇ ଟ୍ୟାଗ ହାସଲ ନେଇ ଓଡ଼ିଆ ଓ ବଶ୍ଚିମବଙ୍ଗ ମଧ୍ୟରେ ଲଢ଼େଇ ଚାଲିଥିଲା।

ସମ୍ବନ୍ଧିତ ଖବର