ପଶ୍ଚିମବଙ୍ଗ ସରକାର ଆରମ୍ଭ କରିବେ ‘ବାଂଲାର ରସେ‌ାଗୁଲ୍ଲା’ ଉତ୍ପାଦନ

କୋଲକାତା: ଖୁବ ଶୀଘ୍ର ଯାଦବପୁର ବିଶ୍ୱବିଦ୍ୟାଳୟର ଫୁଡ ଟେକ୍ନୋଲୋଜି ବିଭାଗ ସହାୟତାରେ ପଶ୍ଚିମବଙ୍ଗ ସରକାର ‘ବାଂଲାର ରସେ‌ାଗୁଲ୍ଲା’ (ରସୋଗୁଲା)ର ଉତ୍ପାଦନ ଆରମ୍ଭ କରିବେ| ଜିଆଇ ଟ୍ୟାଗ ମିଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି | ପଶୁ ସମ୍ପଦ ଉନ୍ନୟନ ବିଭାଗ ସହାୟତାରେ ଏହି ରସଗୋଲାର ଉତ୍ପାଦନ ଆରମ୍ଭ କରାଯିବା ସହ ମଦର ଡେରୀ କୋଲକାତା ବ୍ରାଣ୍ଡ ଅଧୀନରେ ଏହାର ବିକ୍ରି କରାଯିବ | ନଭେମ୍ବର ୨୦୧୭ ମସିହାରେ ପଶ୍ଚିମବଙ୍ଗକୁ ’ବାଂଲାର ରସେ‌ାଗୁଲ୍ଲା’ ଜିଆଇ ଟ୍ୟାଗ ମିଳିଥିଲା | ଏହାପରେ ଏହାକୁ ନେଇ ଓଡ଼ିଶା ପକ୍ଷରୁ ଜିଆଇ ଟ୍ୟାଗ ବାତିଲ କରିବାକୁ ଆବେଦନ କରାଯାଇଥିଲା |

ଅକ୍ଟୋବର ୩୧ ତାରିଖରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଏହି ପିଟିସନକୁ ବାତିଲ କରିଦିଆଯାଇଥିଲା | ତେବେ ପ୍ରତିଟି ରସଗୋଲାର ଦାମ ୧୦ ଟଙ୍କା ସ୍ଥିର କରାଯାଇଥିବାବେଳେ ଭିନ୍ନ ଭିନ୍ନ ପ୍ୟାକେଟରେ ଏହା ଉପଲବ୍ଧ ହେବ | ରସଗୋଲାର ସ୍ୱାଦ କିଭଳି ବଢିବ ଓ ପ୍ରତିଦ୍ବନ୍ଦୀଙ୍କୁ କଡା ଟକ୍କର ଦେବ ସେଥିପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟର ସହାୟତା ନିଆଯିବ ବୋଲି ପଶୁ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି |

ରସଗୋଲା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି କିଣାଯାଇଥିବାବେଳେ ଖୁବ କମ ସମୟରେ ଏହାର ଉତ୍ପାଦନ ଆରମ୍ଭ ହେବ ବୋଲି କୁହାଯାଇଛି | ତେବେ ପ୍ରଥମ ପର୍ଯ୍ୟାୟରେ ଉତ୍ପାଦନ ହେବାକୁ ଥିବା ରସଗୋଲାକୁ ବିକ୍ରୟ କରାଯିବ ନାହିଁ | ଏହାକୁ ଯାଦବପୁର ବିଶ୍ୱବିଦ୍ୟାଳୟର ଫୁଡ ଟେକ୍ନୋଲୋଜି ବିଭାଗ ସମୀକ୍ଷା କରିବା ପରେ ହିଁ ବଜାରକୁ ବିକ୍ରୟ ପାଇଁ ଛଡ଼ାଯିବ |

ସମ୍ବନ୍ଧିତ ଖବର