ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ କାର୍ଯ୍ୟରେ ଯୋଗଦାନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ କେନ୍ଦ୍ରୀୟ ଆକ୍ସନ କମିଟିର ସତ୍ୟପାଠ ଦାଖଲ

ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ
୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି
ଖାଲିପଡ଼ିଥିବା ବିଚାରପତି ପଦ ସମ୍ପର୍କରେ ମତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶା ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିବା ସହିତ କାର୍ଯରେ ଯୋଗଦେଇଛନ୍ତି। କେନ୍ଦ୍ରୀୟ ଆକ୍ସନ କମିଟି ପକ୍ଷରୁ ଏ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଥିସହିତ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ହାଇକୋର୍ଟଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ସକ‌ାଶେ ଅନୁ‌େରାଧ କରାଯାଇଛି।

ସୂଚନା ଅନୁସାରେ, କେନ୍ଦ୍ରୀୟ ଆକ୍ସନ କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପଣ୍ଡାଙ୍କ ବୟାନକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରେକର୍ଡକୁ ନେବା ସହିତ ଆଇନଜୀବୀମାନେ ଆନ୍ଦୋଳନରୁ ଓହରିଯିବା ପରେ ଜିଲ୍ଲା ଅଦାଲତ ବାସ୍ତବ ସ୍ଥିତି ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟର ବିଚାରପତି ଏସ ଏ କୌଲ ଓ ବିଚାରପତି କେ ଏମ ଯୋଶେଫ୍‌ଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଶୁଣାଣିରେ ରାଜ୍ୟ ହାଇକୋର୍ଟ ତରଫରୁ ମାମଲାର ପରିଚାଳନା କରୁଥିବା ଓକିଲ ଶିବଶଙ୍କର ମିଶ୍ର ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ମାନଙ୍କର ନ୍ୟାୟାଳୟ ବର୍ଜନ ଏବଂ ଆନ୍ଦୋଳନ ଯୋଗୁଁ ୫ଟି ଜିଲ୍ଲାର ୧୧ଟି ଅଦାଲତ ଅଚଳ ହୋଇଥିବା ଖଣ୍ଡପୀଠଙ୍କୁ ସୂଚନା ପ୍ରଦାନ କରିବା ସହିତ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଚଳ କୋର୍ଟର ମାମଲା ଗୁଡ଼ିକୁ ନିକଟବର୍ତ୍ତୀ ସଚଳ କୋର୍ଟକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ତଥା ଏନେଇ ଆଇନ ବିଭାଗ ଦ୍ବାରା ଫେବ୍ରୁଆରି ୧୩ରେ ବିଜ୍ଞପ୍ତି ଜାରି କରାଯାଇଥିବା ସମ୍ପର୍କରେ ଅବଗତ କରାଇଥିଲେ।

ଏହା ପରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଖଣ୍ଡପୀଠଙ୍କୁ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କ ବିରୋଧରେ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଇଥିବା ଅବଗତ କରାଇଥିଲେ। ଏହାପରେ ୧୦ଟି ବାର୍ ଆସୋସିଏସନ ଦ୍ବାରା ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଛି ବୋଲି ମାନସ ମହାପାତ୍ର ସୂଚିତ କରିଥିଲେ। ପଶ୍ଚିମ ଓଡ଼ିଶା ଆଇନଜୀବୀମାନଙ୍କ ପକ୍ଷରୁ ବଳକା ୭ଟି ବାର୍ ଆସୋସିଏସନ ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର କରିନେଇ କାର୍ଯ୍ୟରେ ଯୋଗ ଦେଉଥିବା କେନ୍ଦ୍ର ଆକ୍ସନ କମିଟି ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଅଶୋକ ପଣ୍ଡା ଖଣ୍ଡପୀଠଙ୍କୁ ଜଣାଇଥିଲେ। ଖଣ୍ଡପୀଠ ଆକ୍ସନ କମିଟି ଦ୍ବାରା ସତ୍ୟପାଠକୁ ରେକର୍ଡକୁ ନେଇ ମାମଲାର ଶୁଣାଣି ୪ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇଦେଇଥିଲେ।

ଆଜିର ଶୁଣାଣି ସମୟରେ ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ଓଡ଼ିଶାର ୧୪ ବିଚାରପତି ପଦ ୩୯୬ ବିଚାରପତି ପଦ ସଂଖ୍ୟା ଭର୍ତ୍ତି କରିବା ପାଇଁ ହାଇକୋର୍ଟର ରେଜିଷ୍ଟ୍ରି ମାନଙ୍କୁ ପଦଗୁଡ଼ିକୁ ପୂରଣ କରାଯିବା ପାଇଁ ତଥା ପ୍ରଧାନ ବିଚାରପତି ଓ ଭାରପ୍ରାପ୍ତ ବିଚାରପତି ମାନଙ୍କ ଦ୍ବାରା କଲେଜିୟମର ସୁପାରିସକୁ ଅପେକ୍ଷା ନକରି ନାମର ତାଲିକାକୁ ପଠାଇବା ପାଇଁ ସୁପ୍ରିମକୋର୍ଟ କହିଥିଲେ। ହାଇକୋର୍ଟ ମାନଙ୍କ ଦ୍ବାରା ନିୟମିତ ବ୍ୟବଧାନରେ ନାମ ତାଲିକା ଗୁଡ଼ିକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ଶୁଣାଣି ସମୟରେ ମତବ୍ୟକ୍ତ କରିଥିଲେ।

ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ କହିଥିଲେ, କେବଳ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତି ମାମଲାରେ ବିଳମ୍ବ କରୁନାହାନ୍ତି। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ମଧ୍ୟ ବିଳମ୍ବ କରାଯାଉଛି। ଏନେଇ ଲ’ କମିସନଙ୍କୁ ବିଚାର ବିଭାଗୀୟ ନିଯୁକ୍ତିକୁ ନେଇ ତଦନ୍ତ କରିବା ସକାଶେ ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର