ଜ୍ୟୋତିଷଙ୍କ ଭବିଷ୍ୟବାଣୀ : କୁମାରସ୍ୱାମୀ ସରକାରଙ୍କ ଆୟୁଷ କେତେ ଦିନ

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଲୋକେ ଖଣ୍ଡିତ ଜନାଦେନଶ ଦେବା ପରେ ପ୍ରତିଦିନ କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏପରିକି ଯଦି ଆଜି ଜେଡିଏସ ନେତା ଏଚ ଡି କୁମାର ସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ଗତ ୭ ଦିନ ମଧ୍ୟରେ କର୍ଣ୍ଣାଟକ ରାଜନୀତି ଭିନ୍ନ ମୋଡ ନେବା ଲୋକେ ଦୁଇଜଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦେଖିବେ। ତେବେ ୧୦୪ ଆସନ ପାଇ ବିଜେପି ବିଧାୟକ ଦଳ ନେତା ବିଏସ ୟାଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ଜ୍ୟୋତିଷମାନେ ପୂର୍ବାନୁମାନ କରିଥିଲେ ଯେ ଶ୍ରୀ ୟାଦୁରପ୍ପା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ପାରିବେ ନାହିଁ ଓ ଓ ତାଙ୍କ ସରକାରର ପତନ ଘଟିବ। ୟାଦୁରପ୍ପାଙ୍କ ଜନ୍ମ ଜାତକକୁ ତର୍ଜମା କରି କେତେକ ଜ୍ୟୋତିଷ ଏପରି ଭବିଷ୍ୟବାଣୀ କରିଥିଲେ ଓ ଏହା ସତ ମଧ୍ୟ ପ୍ରମାଣିତ ହୋଇଛି। ବିଧାନସଭାରେ ଆସ୍ଥା ଭୋଟ୍‌ ହେବା ପୂର୍ବରୁ ଶ୍ରୀ ୟାଦୁରପ୍ପା ଇସ୍ତଫା ଦେବା ପରେ ରାଜ୍ୟରେ ଯେଉଁ ରାଜନୈତିକ ସଙ୍କଟ ସୃଷ୍ଟି ହେଲା, ସେଥିରେ କୁମାର ସ୍ୱାମୀଙ୍କ ଭାଗ୍ୟ ଉଦୟ ହୋଇଛିି। ବାପା ଏଚଡିେ ଦବେଗୌଡ଼ା ଯେମିତି ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ଠିକ୍‌ ସେହିପରି ମାତ୍ର ୩୮ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ଜେଡିଏସ ଓ ଏହାର ନେତା କୁମାରସ୍ୱାମୀ ଏବେ କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି। ଏ ପରିପ୍ରେକ୍ଷୀରେ କୁମାର ସ୍ୱାମୀ କେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ, କଂଗ୍ରେସ- ଜେଡିଏସ ମେଣ୍ଟର ଭାଗ୍ୟ କିପରି ରହିବ ସେ ନେଇ ଜ୍ୟୋତିଷମାନେ କଣ ପୂର୍ବାନୁମାନ କରୁଛନ୍ତି ତାହା ଜାଣିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଛି। ଲୋକଙ୍କ ଆଗ୍ରହକୁ ନେଇ ଜ୍ୟୋତିଷମାନେ ମଧ୍ୟ ବିଭିନ୍ନ ପ୍ରକାର ପୂର୍ବାନୁମାନ କରିଛନ୍ତି।


ଜାତକର ସପ୍ତମ ସ୍ଥାନ ହିଁ ମେଣ୍ଟ ସମ୍ପର୍କରେ ସୂଚିତ କରିଥାଏ।ତେବେ କୁମାରସ୍ୱାମୀଙ୍କ ଜାତକର ସପ୍ତମ ସ୍ଥାନରେ ରବି ଓ ଶନି ଅବସ୍ଥାନ କରୁଛନ୍ତି। ଉଭୟ ରବି ଓ ଶନି ପରସ୍ପରର ବିରୋଧୀ ହୋଇଥିବାରୁ ଏହି ଜାତକଧରୀ ବ୍ୟକ୍ତି ଠିକ୍‌ ଭାବେ ମେଣ୍ଟ ଧର୍ମ ପାଳନ କରି ନ ଥାନ୍ତି।କୁମାର ସ୍ୱାମୀଙ୍କ ରାଜନୈତିକ ଇତିହାସକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ଯେ ୨୦୦୬ରେ କଂଗ୍ରେସ ଠାରୁ ଅଲଗା ହୋଇ କୁମାର ସ୍ୱାମୀ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ମାତ୍ର ଯେତେବେଳେ ମେଣ୍ଟ ନିୟମ ଅନୁଯାୟୀ ବିଜେପିକୁ ସେ କ୍ଷମତା ହସ୍ତାନ୍ତର କରିବା କଥା ,ସେତେବେଳେ ସେ ରାଜନୈତିକ ମହତ୍ୱାକାଂକ୍ଷାର ବଶବର୍ତ୍ତୀ ହୋଇଥିଲେ ଓ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା। ତବେ କୁମାର ସ୍ୱାମୀଙ୍କ ଜାତକ ସହିତ ସେ ଯେଉଁ ସମୟରେ ମେଣ୍ଟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି, ସେହି ସମୟର ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ମଧ୍ୟ ମେଣ୍ଟର ସ୍ଥାୟୀତ୍ୱ ସମ୍ପର୍କରେ ସୂଚନା ଦେଉଛି। ଯଦି ନିର୍ଦ୍ଧାରିତ ସମୟ ୧୨ଟା ୩୦ ମିନିଟରେ କୁମାର ସ୍ୱାମୀ ଶପଥ ଗ୍ରହଣ କରନ୍ତି, ତେବେ ସେ ସମୟରେ ସୂର୍ଯ୍ୟ ବୁଧ ଓ ଶୁକ୍ରଙ୍କ ସହିତ ୧୦ମ ସ୍ଥାନରେ ଅବସ୍ଥାନ କରୁଛନ୍ତି। ବୁଧ ପଣ୍ଡିତ ଓ ଶୁକ୍ର ମଧ୍ୟ ଜ୍ଞାନୀ। ତେଣୁ ସୂର୍ଯ୍ୟ ଉଭୟଙ୍କ ସହିତ ସୁସମ୍ପର୍କ ରଖୁଥିବାରୁ ଏହି ସମୟରେ ଶପଥ ଗ୍ରହଣ କଲେ କୁମାର ସ୍ୱାମୀ ମେଣ୍ଟ ଧର୍ମ ପାଳନରେ କିଛିଟା ସଫଳ ହେବେ ଓ ସରକାର ଅନ୍ତତଃ ଦେଢ଼ ବର୍ଷରୁ ଅଧିକ ସମୟ ସ୍ଥାୟୀ ହେବ ବୋଲିି କେତେକ ଜ୍ୟୋତିଷ ପୂର୍ବାନୁମାନ କରିଛନ୍ତି । ସେହିପରି ଅନ୍ୟ କେତେକ ଜ୍ୟୋତିଷ ପୂର୍ବାନୁମାନ କରିଛନ୍ତି ଯେ ୟାଦୁରପ୍ପାଙ୍କ ପରି କୁମାର ସ୍ୱାମୀଙ୍କ ସରକାରରେ ସଙ୍କଟ ଦଖାଦେବ ଓ ଏହା ଅଳ୍ପ ଦିନରେ ପତନ ଘଟିବ। ତେବେ ଏ ପ୍ରକାର ଅନୁମାନ କେତେଦୂର ସତ୍ୟ ହେବ ତାହା କହିବା ଠିକ୍‌ ହେବ ନାହିଁ। କାରଣ ଜ୍ୟୋତିଷଶାସ୍ତ୍ରର ଠିକ୍‌ ଅଧ୍ୟୟନ ସହିତ ଜନ୍ମ ଜାତକର ନିର୍ଭୂଲ ପ୍ରସ୍ତୁତି ମଧ୍ୟ ଏ ଦିଗରେ ଗୁରୁତ୍ୱ ବହନ କରେ।

ସମ୍ବନ୍ଧିତ ଖବର