‘ହାଓଡି ମୋଦୀ’ର ଅର୍ଥ କ’ଣ; କେଉଁମାନେ କହନ୍ତି ‘ହାଓଡି’

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ କୌଣସି ବିଦେଶୀ ସରକାରୀ ମୁଖ୍ୟଙ୍କୁ ସ୍ୱାଗତ ଜଣାଇବାରେ ‘ହାଓଡି ମୋଦୀ’ ସବୁଠୁ ବଡ଼ କାର୍ଯ୍ୟକ୍ରମ ବୋଲି ବିଶ୍ୱାସ କରାଯାଉଛି। ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ରର ମୁଖ୍ୟ- ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମିଳିତ ଭାବେ ଏଥିରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ।

ଏହି ବିଶାଳ କାର୍ଯ୍ୟକ୍ରମର ଶିରୋନାମାରେ ଥିବା ‘ହାଓଡି’ ଶବ୍ଦ ଅନେକଙ୍କୁ ବିସ୍ମିତ କରୁଥାଇ ପାରେ। ଇଂରାଜୀ ଶବ୍ଦ ‘ହାଓଡି’ର ଅର୍ଥ କ’ଣ? ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ ଏବଂ ଅନ୍ୟାନ୍ୟ ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକରେ ଏହି ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ। ବନ୍ଧୁମାନେ ପରସ୍ପରର ହାଲ୍‌ହରକତ୍‌ ବୁଝିବା ପାଇଁ ‘ହାଓଡି’ ଶବ୍ଦ ବ୍ୟବହାର କରନ୍ତି।

Image Source: Money Control

ଇଂରାଜୀ ବ୍ୟାକରଣ ଅନୁସାରେ, ‘ହାଓଡି’ ଗୋଟାଏ ଅନୌପଚାରିକ ବିସ୍ମୟସୂଚକ ଶବ୍ଦ। ଏହାର ଅର୍ଥ ‘ହେଲୋ, ହାଓ ଡୁ ୟୁ ଡୁ’ ବା ‘ହଇହେ, କେମିତି ଅଛ?’। ସେଠାକାର ଘନିଷ୍ଠ ମିତ୍ରମାନେ ବା ପରସ୍ପର ସହ ସୁପରିଚିତ ବ୍ୟକ୍ତିମାନେ ଭେଟାଭେଟି ହୋଇ ଗଲେ ‘ହାଓଡି’ ବୋଲି କହିଥାଆନ୍ତି। ଏହାର ପ୍ରତ୍ୟୁତ୍ତରରେ ‘ହାଇ’ ବୋଲି କୁହାଯାଇଥାଏ।

ସେପ୍ଟେମ୍ବର ୨୨ ତାରିଖ ଦିନ ହଷ୍ଟନ୍‌ସ୍ଥିତ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଯୋଗ ଦେବେ। ଏଥିରେ ଯୋଗ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି।

ଆମେରିକୀୟ ଜୀବନଧାରାକୁ ସମୃଦ୍ଧ କରାଇବା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଇବାରେ ଭାରତୀୟ-ଆମେରିକୀୟମାନଙ୍କର ପ୍ରମୁଖ ଭୂମିକା ଓ ଅବଦାନ ଉପରେ ଏହି କାର୍ଯ୍ୟକ୍ରମ ଆଲୋକପାତ କରିବ। ଏହି ଶିଖର ସମ୍ମିଳନୀର ଟ୍ୟାଗ୍‌ଲାଇନ୍‌ ହେଉଛି ‘ସେୟାର୍‌ଡ୍‌ ଡ୍ରିମ୍‌ସ୍‌, ବ୍ରାଇଟ୍‌ ଫିଉଚର୍‌’।

ସମ୍ବନ୍ଧିତ ଖବର