ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆର୍ପିଏଫ୍ର ୪୦ ଜଣ ଯବାନ ସହିଦ ହେବାପରେ ଏବେ ସମଗ୍ର ଦେଶରେ କ୍ରୋଧ ଏବଂ ଉଦ୍ବେଗ ଦେଖିବାକୁ ମିଳିଛି। ଭାରତ ଆଉ କେତେଦିନ ଏଭଳି କାପୁରୁଷୋଚିତ ଆକ୍ରମଣକୁ ସହିବ ଏବଂ ପାକିସ୍ତାନକୁ କିଭଳି ଉଚିତ ଜବାବ ଦେବ ସେ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଇତିମଧ୍ୟରେ ନିୟନ୍ତ୍ରଣ ରେଖା ଅଂଚଳରେ ସୈନ୍ୟ ମୁତୟନ ବଢ଼ିଛି। ଉତ୍ତର ଏବଂ ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଭାରତ ପାଖରେ ଏବେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କି କି ବିକଳ୍ପ ରହିଛି ସେ ଦିଗରେ ଗୁରୁତ୍ବର ସହ ଚିନ୍ତା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍?
ପାକ୍ ଅଧିକୃତ କଶ୍ମୀରରେ ପୁଣି ଥରେ ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ସୀମିତ ବିମାନ ଆକ୍ରମଣ କରାଯିବା ସବୁଠାରୁ ଭଲ ବିକଳ୍ପ ବୋଲି କୁହାଯାଉଛି। ସେପ୍ଟେମ୍ବର ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଭାରତ ବିଶ୍ବକୁ ଚମକାଇ ଦେଇଥିଲା। ତେବେ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ହୋଇଥିବାରୁ ଏବଂ ଏହାର ଦୀର୍ଘକାଳୀନ ପ୍ରଭାବ ରହୁନଥିବାରୁ ଭାରତ ପିଓକେରେ ସମସ୍ତ ଆତଙ୍କବାଦୀ କ୍ୟାମ୍ପ୍କୁ ମୂଳପୋଛ କରିବା ପାଇଁ ବଡ଼ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
ଗ୍ଲାଇଡ୍ ବୋମା, କ୍ଷେପଣାସ୍ତ୍ର ବ୍ୟବହାର କରିପାରେ ଭାରତ
ପାକିସ୍ତାନର ବାୟୁସୀମା ଅତିକ୍ରମଣ ନକରି ଭାରତ ନିଜର ଯୁଦ୍ଧ ବିମାନ ସୁଖୋଇ ୩୦ ଏମ୍କେ, ମିରାଜ-୨୦୦୦ ଏବଂ ଜାଗୁଆର୍ ସହାୟତାରେ ନିୟନ୍ତ୍ରଣ ରେଖା ନିକଟରେ ରହି ଆତଙ୍କବାଦୀଙ୍କ କ୍ୟାମ୍ପ୍ ଉପରେ ଆକ୍ରମଣ କରିପାରିବ। ଏହି ଯୁଦ୍ଧବିମାନଗୁଡ଼ିକରୁ ଗ୍ଲାଇଡ୍ ବୋମା ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ସୁବିଧା ଥିବାରୁ ପ୍ରଭାବଶାଳୀ ଢଙ୍ଗରେ ଏହାର ବ୍ୟବହାର କରିବା ଉପରେ କେତେକ ବିଶେଷଜ୍ଞ ମତ ଦେଇଛନ୍ତି। ଏଭଳି ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ଭାରତକୁ ବେଶୀ ସମୟ ଲାଗିବ ନାହିଁ। ତେବେ ବ୍ରହ୍ମୋସ୍ ଭଳି ସୁପର୍ସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କଲେ ପାକିସ୍ତାନ ସେନା ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ କରିବା ସମ୍ଭାବନା ଥିବାରୁ ଏହା ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ରହିଛି।
ଗୁପ୍ତ ଅପରେସନ
ଭାରତ ଯୋଜନାବଦ୍ଧ ଭାବେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଅସ୍ଥିର କରିପାରିବ ଏବଂ ବେଲୁଚିସ୍ତାନ, ସିନ୍ଧ ଏବଂ ଅନ୍ୟ ଅଶାନ୍ତ ଅଂଚଳରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରି ପାକିସ୍ତାନକୁ ଚାପରେ ରଖିବ ଏବଂ ଅନ୍ୟପଟେ କଶ୍ମୀରରୁ ବିଭାଜନକାରୀ ଶକ୍ତିଙ୍କୁ ମୂଳପୋଛ କରିବା ପାଇଁ ପଦକ୍ଷେପ ନେଇପାରିବ। ତେବେ ଏହା ଏକ ଦୀର୍ଘମିଆଦି ଯୋଜନା।
ସ୍ଥଳ ଓ ବାୟୁସେନାର ମିଳିତ ଆକ୍ରମଣ
ଭାରତ ପାକ୍ ଅଧିକୃତ କଶ୍ମୀରରେ ସ୍ଥଳ ଭାଗରୁ ସିଧାସଳଖ ଆକ୍ରମଣ କରିପାରିବ। ଆତଙ୍କବାଦୀଙ୍କ ସମସ୍ତ ଲଞ୍ଚ ପ୍ୟାଡ୍ ଧ୍ବଂସ କରିବା ପାଇଁ ଗୋଟିଏ ପଟେ ବାୟୁସେନାର ବିମାନ ଆକ୍ରମଣ ଓ ଅନ୍ୟପଟେ ସ୍ଥଳସେନାର ସିଧାସଳଖ ଆକ୍ରମଣ ପିଓକେ ସ୍ଥିତିକୁ ବଦଳାଇଦେବ। ତେବେ ପାକିସ୍ତାନର ଜବାବୀ ଆକ୍ରମଣ ପରେ ଏହି ଯୁଦ୍ଧ ଅତି ଭୟଙ୍କର ହେବା ସମ୍ଭାବନା ରହିଛି ଏବଂ ଏଥିପାଇଁ ଅତି ବିଶାଳ ପ୍ରସ୍ତୁତି ଆବଶ୍ୟକ।