କିପରି ହୋଇଥାଏ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ମହାଭିଯୋଗର ବିଚାର ? ଜାଣନ୍ତୁ ଏହାର ନିୟମାବଳୀ

ନୂଆଦିଲ୍ଲୀ : କଂଗ୍ରେସ ଓ ଅନ୍ୟ ୭ଟି ବିରୋଧୀ ଦଳ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପାଇଁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ନୋଟିସ ଦେଇଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ର ନିଜ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗରେ ଏହି ନୋଟିସ ଦିଆଯାଇଛି । ଏଥିରେ ୬୪ ଜଣ ରାଜ୍ୟ ସଭା ଏମପି ସ୍ୱାକ୍ଷର କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ କିପରି ହୁଏ ସୁପ୍ରିମକୋର୍ଟ ବିଚାରପତିଙ୍କ ମହାଭିଯୋଗ ପ୍ରସ୍ତାବ ?

ANI

ଆମ ସମ୍ବିଧାନର ଧାର ୧୨୪(୪)ରେ ସୁପ୍ରିମକୋର୍ଟ ବିଚାରପତିଙ୍କ ମହାଭିଯୋଗ ଆଗତ କରିବାର ନିୟମାବଳୀ ଉଲ୍ଲେଖ ଅଛି ।

ସୋପାନ୧: ମହାଭିଯୋଗ ପ୍ରସ୍ତାବ ପାଇଁ ଅତିକମରେ ଲୋକସଭାର ୧୦୦ ସଦସ୍ୟ ଓ ରାଜ୍ୟସଭାର ୫୦ ସଦସ୍ୟଙ୍କ ସ୍ୱାକ୍ଷର ଆବଶ୍ୟକ । ଏହି ନୋଟିସକୁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି)ଙ୍କ ନିକଟରେ ଦାଖଲ କରିବାକୁ ହେବ ।

ସୋପାନ୨: ଏହି ନୋଟିସକୁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ଗ୍ରହଣ କରିପାରନ୍ତି ବା ଫେରାଇ ଦେଇପାରନ୍ତି ।

ସୋପାନ୩: ଯଦି ଏହି ନୋଟିସକୁ ଗ୍ରହଣ କରାଗଲା ତେବେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ଏକ ୩ ଜଣିଆ କମିଟି ଗଠନ କରିବେ । କମିଟିରେ ଜଣେ ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି, ଜଣେ ହାଇକୋର୍ଟ ବିଚାରପତି ଓ ଜଣେ ବରିଷ୍ଠ ଆଇନଜ୍ଞ ସଦସ୍ୟ ରହିବେ । ଏହି କମିଟି ପ୍ରଧାନବିଚାରପତିଙ୍କ ବିରୋଧରେ ଉଠୁଥିବା ଅଭିଯୋଗର ତଦନ୍ତ କରିବେ ।

ସୋପାନ୪ : କମିଟି ଅଭିଯୋଗର ସତ୍ୟତା ଥିବା ରିପୋର୍ଟ ଦେବାପରେ ଏ ସଂପର୍କରେ ସଂସଦରେ ଆଲୋଚନା ହେବ । ଆଲୋଚନା ପରେ ଏଥିପାଇଁ ଭୋଟିଂ ହେବ । ପ୍ରସ୍ତାବଟି ପାଶ ହେବା ପାଇଁ ଗୃହରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଆବଶ୍ୟକ ।

ସୋପାନ୫ : ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଦ୍ୱାରା ପାଶ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ପ୍ରଧାନବିଚାରପତିଙ୍କୁ ବହିଷ୍କାର କରିବାକୁ ରାଷ୍ଟ୍ରପତି ଏକ ନିର୍ଦ୍ଦେଶନମା ଜାରି କରିପାରିବେ ।

ଏସବୁ ନିୟମାବଳୀକୁ ବିଚାରକୁ ନେଲେ ଜଣାଯାଏ ଯେ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଏହି ମହାଭିଯୋଗ ପ୍ରସ୍ତାବ ପାଶ ହେବାର ସମ୍ଭାବନା ଯଥେଷ୍ଟ କମ ।

ସମ୍ବନ୍ଧିତ ଖବର