ଏନ୍‌ଏସ୍‌ଏ ଓ ଇଣ୍ଟେଲିଜେନ୍‌ସ୍‌ କ’ଣ କରୁଥିଲେ: ମମତା ବାନାର୍ଜୀ

ହାଓଡ଼ା: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ୪୦ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ଦୁଃଖ ପ୍ରକାଶ କରି ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁଇନ୍ଦା ବିଭାଗକୁ ତୀବ୍ର ସମାଲୋଚନା କରିଛନ୍ତି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି: ଲୋକେ ପଚାରୁଛନ୍ତି ଏନ୍‌ଏସ୍‌ଏ ଓ ଇଣ୍ଟେଲିଜେନ୍‌ସ୍‌ କ’ଣ କରୁଥିଲେ? ଏହା ଗୁଇନ୍ଦା ବିଭାଗର ବିଫଳତା। ନିରାପତ୍ତା ବିପନ୍ନ ଥିବା ବେଳେ କାହିଁକି ଏତେଗୁଡ଼ିଏ ଭ୍ୟାନ୍‌ ଏକାଠି ଯାଉଥିଲେ?

ଆକ୍ରମଣକୁ ନିନ୍ଦା କରି ବାନାର୍ଜୀ କହିଲେ ଯଦି ପାକିସ୍ତାନ ଏଥିରେ ସମ୍ପୃକ୍ତ ତେବେ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସେ କହିଛନ୍ତି: ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଆମେ ନିନ୍ଦା କରୁ। ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ମୁଁ ଆଲୋଚନା କରିବାକୁ ଚାହେଁନା। କିନ୍ତୁ, ପାକିସ୍ତାନ ଯଦି କିଛି କରିଛି, କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

ସହିଦ ସେନାଙ୍କ ପରିବାରକୁ ତାଙ୍କ ସରକାରଙ୍କ ସହାୟତା ସଂକ୍ରାନ୍ତରେ ବ୍ୟାଖ୍ୟା କରି ସେ କହିଲେ: ସହିଦ ହୋଇଥିବା ଦୁଇ ତିନି ଜଣ ଯବାନଙ୍କ ପରିବାର ଲୋକଙ୍କ ସହ ମୁଁ କଥାବାର୍ତ୍ତା କରିଛି ଏବଂ ମୋ ମନ୍ତ୍ରୀମାନଙ୍କୁ ସେମାନଙ୍କ ଘରକୁ ପଠାଇଛି। କର୍ମସଂସ୍ଥାନ ଲାଗି ଆମେ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବୁ।

ସମ୍ବନ୍ଧିତ ଖବର